ଭୁଜତଳେ ମୋତେ ରଖ edit
ଭୁଜତଳେ ମୋତେ ରଖ ମହାବାହୁ !
ବାହୁତଳେ ମୋତେ ରଖ
ବିପୁଳ ଭୁଜ ବିସ୍ତାରି ଦେଲେ ଛାର
କି କରି ପାରିବ ଦୁଃଖ।।ଘୋଷା।।
ସଜ ହୋଇଥିବ ନନ୍ଦିଘୋଷ ରଥ
ମୁଁ ଥିବି ତୁମ୍ଭ ସେବାରେ
ତୁମ୍ଭେ ଦୀନବନ୍ଧୁ ! ନିର୍ଦ୍ଦୟ ହୋଇଲେ
କି ବୋଲିବେ ଏ ସଂସାରେ।।୧।।
ଏ ଗଜରାଜ କ୍ଷିତି ପତି ସଂପତି
ରତିଏ ରୁଚଇ ନାହିଁ
ଭୁବନମୋହନ ଚକା ନୟନକୁ
ଯେତେବେଳେ ଦିଏ ଚାହିଁ।।୨।।
ଦିନକୁ ଦିନତ ଦୁଃଖ ଅତିରେକ
ସୁଖତ ଦିଶଇ ନାହିଁ
ଭାସି ଯାଉଅଛି ଏ ଭବ ସାଗରେ
ରକ୍ଷା କର ଭାବଗ୍ରାହୀ।।୩।।
ଶ୍ରୀକ୍ଷେତ୍ର ନବରେ ମହା ଐଶ୍ଵର୍ଯ୍ୟରେ
ଥିଲେ ହେଁ କମଳା ସାଇଁ
ବାଇଶିପାବଚ୍ଛ ନ ଉଠିବା ଯାଏଁ
ଆନନ୍ଦ ନପାଏ କାହିଁ।।୪।।
ସେବାରୁ ଅନ୍ତର ହେଲି ଯେବେ ପ୍ରଭୁ
ଏ ପ୍ରାଣ ଥିବ କିପାଇଁ
ଓହ୍ଲାଇ ନ ଦିଅ କିମ୍ବା ମୋ ମଥାରୁ
ଜଞ୍ଜାଳ ଭାର ଗୋସାଇଁ।।୫।।
ମୁଁ ଛାର ପତିତ ଭରସା ରଖିଛି
ଶ୍ରୀରଙ୍ଗା ଚରଣ ତଳେ
ଶ୍ରୀ ବୀରକିଶୋର ମହାରାଜା ଜଣେ
ଦୟାକର ଏତେବେଳେ।।୬।।
ପତିତପାବନ ବାନା edit
ପତିତପାବନ ବାନା ଆଉ କେତେବେଳକୁ
ଭାସିଗଲି ଭବଜଳେ ନାବ ଦିଅ କୂଳକୁ।।ଘୋଷା।।
ରୋପିବାର ବୃକ୍ଷଗୋଟି କାଟୁଅଛି ମୂଳକୁ
ତିନିପୁରେ ଅପକୀର୍ତ୍ତି ହେବ ଆଦି ମୂଳକୁ।।୧।।
ଦୂରେ ଥାଇ ଡାକିଦେଲେ ଡେରିଥାଅ କର୍ଣ୍ଣକୁ
ନିକଟରେ ନ ଶୁଣିଲେ ମୋ କର୍ମ ଅବଳକୁ।।୨।।
ଲକ୍ଷେ ଯୋଜନରେ ଗଜ ଡାକଦେଲା ତୁମ୍ଭଙ୍କୁ
ନକ୍ର ନାଶିବାକୁ ଚକ୍ର ଦେଇ ପେଶି ଜଳକୁ।।୩।।
ନକ୍ଷତ୍ର ଦିହୁଡ଼ି ଜଳେ ସନ୍ଧ୍ୟା ଦୀପ ବେଳକୁ
ଲମ୍ବିଛି ଦୟାଣମାଳ ପାଦପଦ୍ମ ତଳକୁ।।୪।।
ଯୋଗୀଜନମାନେ ହୃଦେ ଧ୍ୟାଉ ଛନ୍ତି ଯାହାକୁ
ଭଣିଲେ ବିରକେଶରୀ ଆଶା ପାଦ ତଳକୁ।।୫।।