Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ଉପେନ୍ଦ୍ର ଭଞ୍ଜ

< Wq‎ | or

ଶ୍ରୀ ମାନ ଉଦ୍ଧାରଣ ଜଣାଣ edit

(ଉପେନ୍ଦ୍ର ଭଞ୍ଜ)

ମାନଉଦ୍ଧାରଣ ! କରହେ କାରଣ
ଶରଣ ମୁଁ ତୁମ୍ଭ ପାଦତଳେ।ଘୋଷା।

ଅନାଥର ନାଥ ନୀଳଗିରିନାଥ
ଜଗନ୍ନାଥନାମ ନୀଳାଚଳେ
ମହୋଦଧିକୁଳେ କଳ୍ପବଟମୂଳେ
ବିଜେ କରିଛ ବଡ଼ ଦେଉଳେ।୧।

ଲକ୍ଷେ ଯୋଜନରେ ଗଡ଼ ଡାକ ଦେଲା
ତା ଡାକ ଶୁଣିଲ ପଶାଖେଳେ
ମାରକଣ୍ଡ ଋଷି ଯାଉଥିଲେ ଭାସି
ଉଧରି ଧଇଲ ବାମକରେ।୨।

କିଷ୍କିନ୍ଧ୍ୟାକୁ ଗଲ ବାଳି ବିନାଶିଲ
ବନ୍ଧ ଯେ ବାନ୍ଧିଲ ସିନ୍ଧୁଜଳେ
ଲଙ୍କାରେ ରାବଣ ବିଧିଲ ଆପଣ
ଜନକନନ୍ଦିନୀ-ସୀତା-ଛଳେ।୩।

ଯୁଧିଷ୍ଠିର ବୋଲେ ହସ୍ତିନାକୁ ଗଲ
ଭୋଜନ କଲ ବିଦୁର ଘରେ
କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା
କୋଟି ବସ୍ତ୍ର ଦେଲ ଅଵହେଳେ।୪।

ବଣପୋଡ଼ି ବେଳେ ଘୋର ଦାବାନଳୁଁ
ଉଧରି ରଖିଲ ବ୍ରଜବାଳେ
କହେ ଉପଇନ୍ଦ୍ର କବି-କୁଳ-ଚନ୍ଦ୍ର
ଶରଣ ମୁଁ ତୁମ ପାଦତଳେ।୫।

ରମାରମଣ ହେ edit

(ଉପେନ୍ଦ୍ର ଭଞ୍ଜ)

ରମାରମଣ ହେ
ତୁମେ ପରା ଦୟାସିନ୍ଧୁ
ଦୀନଠାରେ କିମ୍ପା ହୃଦେ ଅନୁକମ୍ପା
ହେଉନାହିଁ ଦୀନବନ୍ଧୁ ॥ଘୋଷା॥

ତ୍ରିଭୁବନ ଦୁଷ୍ଟ ନିବାରଣ ରୁଷ୍ଟ
ବାଡ଼ବାଗ୍ନି ଗର୍ଭେ ଭରି
ଲୋକାଲୋକ ଗିରି ଭଗତ ମଣ୍ଡଳୀ
ମଧ୍ୟେ ହୋଇଛ ମାଧୁରୀ ॥୧॥

ଅଗାଧ ସୁଷମା ଅଶେଷ ମହିଁମା
ସଂକୁଳେ ହୋଇ ପ୍ରଚୁର
ମଚ୍ଛ କଚ୍ଛ ଜଳଚର ଅଵତାରଙ୍କର-
ଅଟ ଜନ୍ମ ସ୍ଥଳ ॥୨॥

ଜଳଜ ଗଭୀର ବାଣୀ ସୁମଧୁର
ଘୋଷକୁ କରି ଵଂଦିତ
ତରଙ୍ଗ ବିଶେଷ ମହା ମହୋଲ୍ଲାସ
ଭରେ ହୋଇଛ ରଞ୍ଜିତ ॥୩॥

ତରଙ୍ଗିଣୀ ବୃନ୍ଦ ସୁମନସ କଦମ୍ବର-
ନୃପତି ବୋଲାଇ
ମହତି ପରମ ଯୋଗେ ଦୁରାଧମ
ଜନକୁ କରୁଛ ତ୍ରାହି ॥୪॥

ଅଣିମାଦି ଅଷ୍ଟ ରତନ ବିଶିଷ୍ଟ
ପ୍ରଦାନେ କୁଶଳ ହୋଇ
କଷ୍ଟକୁ ଲୋକର କରୁଛ ନିକର
ଭଞ୍ଜ ବୀରବର କହି ॥୫॥

କଳା ଶ୍ରୀମୁଖ ହେ edit

(ଉପେନ୍ଦ୍ର ଭଞ୍ଜ)

କଳା ଶ୍ରୀମୁଖ ହେ ! ନଗଲା ମୋର ଦୁଃଖ
କଳପ ତରୁକୁ ଆଶ୍ରେ କରିଛି ମୁଁ
             କି ବୋଲିବେ ଶୁଣି ଲୋକ।।ଘୋଷା।।

ଵିଵସନ କଲାବେଳେ ଅନ୍ଧବାଳା
             ବୃନ୍ଦାବନେ ହରିଣାଙ୍କ
ଆଣି କୋଟି ଚେଳ ପାଞ୍ଚାଳୀକି ଦେଲ
             କି ରୂପେ ହୋଇ ତା ପକ୍ଷ।।୧।।

ଗୋକୁଳ ଶବରୀ ଆଣି ଦେଲ କୋଳି
             ବିକିବାକୁ ବନଜାକ୍ଷ
ହେଲା ତା'ପସରା ଯାକ ହେମ ପରା
             ପଡ଼ନ୍ତେ ତୁମ୍ଭ କଟାକ୍ଷ।।୨।।

ଦରିଦ୍ର ବିପ୍ରର କଥାକୁ ତୁମ୍ଭର
             ହୃଦୟେ କରି ବିବେକ
କେଉଁ ସମ୍ପଦକୁ ନ ଦେଲ ତାହାକୁ
             ଦେବାଧିଦେଵ ନାୟଜ।।୩।।

ବଳୀକି ପାତାଳେ ମଣିମୟ ପୁରେ
             ବିର୍ଲୋହ ଅନେକ ସୁଖ
ରଖିଅଛ ପୁଣି ତାକୁ ଚକ୍ରପାଣି
              ତହୁଁ କରିବାକୁ ମୋକ୍ଷ।।୪।।