Wq/or/ରଚନାବଳୀ/ମାୟାଧର ମାନସିଂହ/ମହାନଦୀରେ ଜ୍ୟୋତ୍ସ୍ନା ବିହାର

< Wq‎ | or‎ | ରଚନାବଳୀ/ମାୟାଧର ମାନସିଂହମାୟାଧର ମାନସିଂହ > ମହାନଦୀରେ ଜ୍ୟୋତ୍ସ୍ନା ବିହାର

ଶିଳାଗୃହ-ଅନ୍ଧକାରବାସୀ ମୁଁ, ଜନନୀ,
ଧରଣୀ, ନ ଥିଲି ଜାଣି, ଅଛି ଲୋ ତୋ ପୁରେ
ଏମନ୍ତ ରୂପର ଲୀଳା, ନ ବାହୁଁ ତରଣୀ
ଆଜି ଏ ଜ୍ୟୋତ୍ସ୍ନାରେ ନୀଳ ମହାନଦୀ-ପୁରେ ।

ଆହା କି ବିପୁଳ ଶୋଭା ଭାସେ ଆଖି ଆଗେ,
କେମନ୍ତେ ବର୍ଣ୍ଣିବି ମୋର ମୁଗ୍ଧ ଅନୁଭବ,
ଚକ୍ଷୁ ମୋର ଅନ୍ଧ ହୁଏ ଜ୍ୟୋଛନା-ପରାଗେ,
ବାଣୀ ମୋର ନାହିଁ ଫୁଟେ, ମାନି ପରାଭବ ।

ଧବଳ ଉତ୍ତରୀ ସମ ରଜନୀ-ବଧୂର
ଜ୍ୟୋଛନା ବ୍ୟାପିଛି ଦୂର ଦିଗଚକ୍ର ଲାଗି,
ତଳେ ତାର ଏ ଧରଣୀ, ପ୍ରକୃତି-ମଧୁର
ହୋଇଛି ମଧୂରତର ତା ପରଶେ ଜାଗି ।

ଆକାଶର ଖଣ୍ଡ ସମ ମହାନଦୀ ବାରି
ଚନ୍ଦିକା ଚୁମ୍ବନ ପାଇ ଧବଳ ଚପଳ,
ତରଳ ମୁକୁର ଅବା ଦେଇଛି କେ ପାରି,
ଦେଖିବେ ବଦନ ନଭ-ସୀମନ୍ତିନୀଦଳ ।

ଦୁଇକୂଳେ ବୃକ୍ଷରେଖା ଜ୍ୟୋଛନା-ଧଉତ,
ପାଣ୍ଡୁର ଆଲୋକେ ଧରି ତନ୍ଦ୍ରାଳସ ଶିରୀ
ସ୍ୱପ୍ନ-ପୁରୀ କରେ ସୃଷ୍ଟି, ଅଳସ ମରୁତ
ଜ୍ୟୋଛନା-ମଦିରାମତ୍ତ, ବହେ ଥିରି ଥିରି ।

ଦୂରବାହୀ ନାଉରିର ସରଳ ସଙ୍ଗୀତ
ପବନେ ଆସଇ ଭାସି ନଦୀବକ୍ଷପରେ,
କ୍ଷେପଣୀ ଆଘାତେ ଦେଖ ଚନ୍ଦ୍ରିକା-ରଞ୍ଜିତ
ନଦୀ-ବାରି, ଲକ୍ଷ ରୌପ୍ୟପୁଷ୍ପ ସୃଷ୍ଟି କରେ ।

ପଶ୍ଚାତେ ପ୍ରସାର-ଶୀଳ ଶୁଭ୍ର ବାରିରାଶି
ମିଶଇ ଆକାଶ ତଳେ, ସମ୍ମୁଖେ ମୋହର
ଗମ୍ଭୀର ସୁନ୍ଦର ଗିରିମାଳା ଉଠେ ଭାସି
ଚନ୍ଦ୍ରିକାଚନ୍ଦନେ ଚର୍ଚ୍ଚା ନୀଳ କଳେବର ।

ଉଠିଛି ଶିଖରମାଳା-ପଶ୍ଚାତୁଁ ଆକାଶ
ସନ୍ନ୍ୟାସିନୀ-ମୁଖ ସମ ପ୍ରଶାନ୍ତ ଧବଳ,
ତା ତଳେ ରଜନୀବଧୂ ଚନ୍ଦ୍ରିକାର ବାସ
ଉଡ଼ାଇ ଧରଣୀ କରେ ପରଶେ ଉତ୍‌ଥଳ ।

ଏ ବିରାଟ ଚିତ୍ରଗୃହେ ଅତିଥି ମୁଁ ଦୀନ
ମୁଗ୍ଧ ସମ ରହେ ଚାହିଁ ମହାମହିମାରେ,
ଭାବଇ ବା ହୋଇ ଏହି ଜ୍ୟୋତ୍ସ୍ନାରେ ପ୍ରଲୀନ
ଭୋଗନ୍ତି ସେ ସୁଧା ଝରେ ଆଜି ଏତେ ଧାରେ ।। ୧ ।।

ହାୟ ଲୋ ଉତ୍କଳ ଭୂମି ! ପ୍ରକୃତି ସୁନ୍ଦର;
ମନ୍ଦକିନୀ ସମ ନଦୀ, ଶିବ ସମ ଗିରି,
କାନନେ, କେଦାରେ ଲକ୍ଷ ଶୋଭାର ବିହାର
ଥାଉଁ ତୋର, କହ କିମ୍ପା ଏତେ ହତଶିରୀ ?

ଏ ସ୍ୱର୍ଗସୁଷମା ଯାର, କରିବି ବିଶ୍ୱାସ
କେମନ୍ତେ କହ ଲୋ ତାର ଅନ୍ନର ଅଭାବ ?
ସୁରାସମ ମୁଗ୍‌ଧ କରେ ମୋରେ ଯା ନିଶ୍ୱାସ,
ତ ଦେହେ ସମ୍ଭବେ କାହୁଁ ଦୁର୍ଦ୍ଦିନ-ପ୍ରଭାବ ?

କାନନ-ଶ୍ୟାମଳ-ବାସ, ଶିଖରୀ ମୁକୁଟ
ଚରଣ ଚୁମ୍ବଇ ମହାସାଗର-ଲହରୀ,
ଏ ବେଶେ ହୁଅଇ ଯାର ମହିମା ପ୍ରକଟ,
କେମନ୍ତେ ଭାବିବି ତାରେ ଅଭିଶପ୍ତା କରି ?

ଆଜି ତୋର ଇତିହାସ-ସାକ୍ଷୀ ଏ ତଟିନୀ-
ଜଳେ ମୋ ତରଣୀ ଯେବେ ଭାସିଯାଏ ଧୀରେ
ଜନନୀ ଗୌରବ ତୋର କଳ୍ପନା ସଙ୍ଗିନୀ
ଗୋଟି ଗୋଟି ଦ୍ରୁତେ କାଢ଼ି ଦିଏ ମୋ ସ୍ମୃତିରେ ।

ସେ ଦିନ ତୋ ଗିରି ସଙ୍ଗେ, ତୋର ଗଜପତି
ତୋଳିଲା ସ୍ପର୍ଦ୍ଧାରେ ତାର ଦୁର୍ଗ ଅଭ୍ରଂକକ୍ଷ,
ତୋହର ଏ ନଦୀ ସମ ମହା ନରପତି
ହୃଦୟେ ଉଦାର କରି ଜିଣି ନେଲା ଯଶ ।

ସେ ରାଜା ଯାଇଛି ଚାଲି ଦୁର୍ଗ ତାର ନାହିଁ
ତା ସଙ୍ଗେ ଯାଇଛି ପୁଣି ସେ ବୀର ହୃଦୟ,
ତୋହରି ଅତୀତେ ମା ଗୋ ! ଆଜି ଥାଇ ଥାଇ
କରେ କ୍ରୂର ପରିହାସ, ଘୋର ବ୍ୟଥାମୟ ।। ୨ ।।

ତରଣୀ ଚଳଇ ମୋର ବାରବାଟୀ ତଳେ,
ରହ ରେ ନାଉରି, ଦଣ୍ଡେ ଭିଡ଼ି ଏଠି ତରୀ,
ମଥା ମୋ ଲଗାଇ ପୂତ ସୋପାନ-ପ୍ରସ୍ତରେ
ଦିଏଁ ଅପଦାର୍ଥ-ପ୍ରାଣେ କୃତ୍ୟ କୃତ୍ୟ କରି ।

ସେ ଦିନ ଏ ଶିଳାପରେ ଅବଗାହେ ଆସି
ସୁକୁମାରୀ ରାଜବାଳା ଆଙ୍କିଥିବ ତାର
ଲକ୍ଷାରକ୍ତ ପଦଛବି, କରି ମତ୍ତକାଶୀ
କଠିନ ପାଷାଣେ-ଦେହେ ଆନନ୍ଦ ସଞ୍ଚାର ।

ସେ ଦିନ ସଜନୀମେଳେ ରୂପସୀ ମହିଷୀ
ଏକ କରେ ଦୁର୍ବାକ୍ଷତ, ଶଙ୍ଖ ଆନ କରେ,
ବିଜୟୀ ପୁତ୍ରରେ, ଶିରେ ମଙ୍ଗଳ ଆଶିଷି;
ବନ୍ଦି ନେଇଥିବେ ଗୃହେ ଏହି ଶିଳାପରେ ।

ସେ ଦିନ ଏ ଶିଳାପରେ ନାଗରିକା ଶତ
ହରିଦ୍ରା ପ୍ରଲେପେ ରଞ୍ଜି କନକବଦନ
ବନ୍ଦିଥିବେ ଶଙ୍ଖ ବାଇ, ରାଜାର ବୋଇତ,
କରିଛି ସେ ସିଂହଳରୁ ମୁକ୍ତା ଆନୟନ ।

ସେ ଦିନ ଏ ଶିଳାପରେ ନଗର-ରଜନୀ
ଏକତ୍ରେ ପଠାଇ ପୋତେ ସନ୍ତାନେ ସମରେ
ଚାହିଁଥିବେ ଦୁଇ ଦିଗେ, ସେ ବୀର ରମଣୀ
ଲୁଚାଇ ଆଖିର ଲୁହ ଅପମାନ ଡରେ ।

ସେ ଦିନ କାହିଁ ଗୋ ଶିଳା ! ଏ ଦୁର୍ଗର ଛାୟା
ମାଡ଼ି ଏ ତଟିନୀଜଳେ ଚକୋରୀ-ଚକୋରେ
ଆଣେ ଯେବେ ନିଶା-ଭୀତି ! ଜୀବନର ମାୟା
ଏ ଜାତି ନ ଥିଲା ଜାଣି ବିପତ୍ତିର କୋଳେ

ଚିରଦିନ ପାଇଁ ସେ କି ଯାଇଛନ୍ତି ଚାଲି,
ନ ଫେରିବେ ରାଜା ରାଣୀ, ନ ଫେରିବେ ବୀରେ
ବୋଇତବନ୍ଦାଣ ଲାଗି ଏ ତଟିନୀ ବାଲି
ନାଗରିକା-ପଦପ୍ରାନ୍ତ ନ ଚୁମ୍ବିବ ଧୀରେ ?

ଦୁର୍ଗ ଆଉ ଉଠିବନି ? ରାଜାର ବୋଇତ
ନ ଫେରିବ ମୁକ୍ତା ଧରି ଏ ତଟିନୀ ବାହି,
ନଗରର ବଧୂ ଯେତେ ମଙ୍ଗଳ ସଙ୍ଗୀତ
ନ ବନ୍ଦିବେ ତାରେ କେବେ, ମଧୁକଣ୍ଠେ ଗାଇ ?

ସେ ସୌଭଗ୍ୟ ଶେଷେ, ହାୟ, ଏ ଜାତିର ଶେଷ
ନ କଲା ବିଧାତା କିମ୍ପା ? ଏ ଗୌରବ ପରେ
ବଞ୍ଚିବା ଧରି ଏ ଖାଲି କଙ୍କାଳ ବିଶେଷ
ବିଶ୍ୱ ଆଗେ, ମରଣରୁ ଶତଗୁଣେ ବଳେ ।। ୩ ।।

ଏମନ୍ତ ଜ୍ୟୋଛନା-ରାତେ ସେ ଦିନ ଏ ସ୍ଥଳୀ
କି ଶୋଭା ଧରଇ, ଅୟି କଳ୍ପନା ସଜନି,
କହ ମତେ ! ଶତ ଶତ ନାଗରିକେ ତରୀ
ବାହି କେହ୍ନେ କରୁଥିବେ ମୁଖରା ରଜନୀ ।

ନୃପତିର ଗଜଦନ୍ତ ତରୀ ଥିବ ଆଗେ,
ମୁଖରା ଗାୟିକାକଣ୍ଠେ; ସୁଗନ୍ଧେ ଉତଳା,
ନୃପତି-କୁଣ୍ଡଳ-ମଣି ଚନ୍ଦ୍ରିକାର ରାଗେ
ଝଲସେ, କମ୍ପଇ କର୍ଣ୍ଣେ କୁସୁମର ଝରା ।

ରାଜତରୀ ପାଶେ, ପଛେ, ଶତ ତରୀ ବାହି
ଚଳନ୍ତି ନଗରଜନେ ବିଳାଶକୁଶଳ
ମୁଖରା କରି ଏ ନଦୀ ଉଚ୍ଚେ ଗୀତ ଗାଇ,
ଉଦ୍ଦାମ କ୍ଷେପଣେ କରି ଆକୁଳ ଏ ଜଳ ।

ଉର୍ଦ୍ଧ୍ୱେ ତେଣେ ଚନ୍ଦ୍ରଶାଳା-ପୁରେ ରାଜରାଣୀ
ସ୍ୱର୍ଣ୍ଣଦୀପ ପଛେ ରଖି ବାତାୟନ-ମୁଖୀ
ଦେଖନ୍ତି ଏ ମହାଲୀଳା, ଫୁଟେ ନାହିଁ ବାଣୀ,
ବଦନେ ଆସେ କି ଭାଷା ପ୍ରାଣ ହେଲେ ସୁଖୀ ?

ଆନ କକ୍ଷେ ରାଜବଧୂ କୋମଳା କିଶୋରୀ
ସୁନ୍ଦରୀ ସଜନୀ ମେଳେ ଧରି ଫୁଲହାର
ଦେଖନ୍ତି ଚନ୍ଦ୍ରମାଶୋଭା ଚନ୍ଦ୍ର-ମୁଖ ତୋଳି,
ଏ କାଳେ ମିଳିଲେ ପାଶେ ନୃପତିକୁମାର ।

ତୀରେ ବାଦ୍ୟ-ନହବତ, କମ୍ପଇ ଧରଣୀ,
ସେ ପାର ପର୍ବତମାଳା ଦିଏ ପ୍ରତିଗିର,
ମନ୍ଦ୍ରିଉଠେ ଦୁର୍ଗକକ୍ଷ, ରାଜାର ତରଣୀ
ନଚାଏ ଉନ୍ମାଦେ ନୀଳ ମହାନଦୀ-ନୀର ।

ସେ ଦିନ ମୁଁ ଥାଆନ୍ତି କି ରାଜନ ଗହଣେ,
ବିଧାତା, ହୃଦୟ ଭରି ଗାଇଥାନ୍ତି ଗୀତ,
ଗୁଣଗ୍ରାହୀ ରାଜା ମୋର ରତ୍ନ ବିତରଣେ
ତୋଷି କି ନ ଥାନ୍ତେଏଇ ଦରିଦ୍ରର ଚିତ୍ତ ?

ଫେରିବା କହୁଛ ବନ୍ଧୁ, ପୁଣି ଅନ୍ଧକାରେ ?
ଫେରିବାକୁ ହେବ ସତେ ? ହାୟ ଏ ଜୀବନ
ଅବସର କାହିଁ ମିଳେ କ୍ଷଣେ ଭୁଲିବାରେ
ଜୀବନର ହହାକାର, ପ୍ରାଣର ଦହନ ।

ଚନ୍ଦ୍ରମା ଉଠିଛି ଉର୍ଦ୍ଧ୍ୱେ; ବିରାଟ ଧରଣୀ
ନୀରବ, ନିସ୍ତବ୍‌ଧ, ଶାନ୍ତ ! ମହାନଦୀ-ଜଳ
କ୍ଳାନ୍ତ ଶିଶୁ ସମ ଶାନ୍ତ ! ଉଜ୍ଜ୍ୱଳ ରଜନୀ
ପକ୍ଷ ପାତି ଆବରିଛି ନଭ ଜଳ ସ୍ଥଳ ।

ଏ ମହା ନୀରବ କ୍ଷଣେ, ଏ ଜ୍ୟୋଛନା ତଳେ
ମୁଗ୍‌ଧ ମୁଁ ଅନାଇଁ ଏହି ବିପୁଳ ଶୋଭାରେ,
ଅନୁଭବେ ଆହା ? କା ର ସ୍ପର୍ଶ ଏ ଅନ୍ତରେ
ବଚନୁ ଅତୀତ, ମୁହିଁ ପ୍ରଣମେ ତାହାରେ ।

ସେ ଯେ ସତ୍ୟ, ଶିବ ସେହି, ଏକା ସେ ସୁନ୍ଦର
ଭୂମା ସେ ରହିଛି ପୂରି ରେଣୁ ରେଣୁ ଭେଦି;
ଅନ୍ତତ ଲୀଳାର ହେତୁ; ଅସୀମ ହୁନ୍ଦର
କ୍ଷଣକେ ସୃଜେ ସେ ତାର ମହାପୂଜା ବେଦୀ ।

ବନ୍ଧୁ ହେ ପାଇଛି ଆଜି ଏ ଆକାଶ ତଳେ,
ମୋ ଜାତି ଅତୀତ-ସାକ୍ଷୀ ଏ ନଦୀ ପୁଳିନେ
ଜ୍ୟୋତ୍ସ୍ନାର ଏ ମହାଭୋଜ୍ୟେ; ଏ ତରଣୀ ପରେ
ଜାନୁପାତି ବନ୍ଧୁ, ତାରେ ଘେନ ହେ ଜୀବନେ ।

ଇଚ୍ଛା ମୋ, ହୁଅନ୍ତା ଏହି ନିର୍ମଳା ରଜନୀ
ଅସରା, ମୁଁ ଖୋଜୁଥାନ୍ତି ସତ୍ୟ ଶୁଭ୍ର ତାରେ
ଏ ସୁନ୍ଦର ଜ୍ୟୋତ୍ସ୍ନାତଳେ, ବାହି ଏ ତରଣୀ
ମୃତ୍ୟୁ ଯାଏ; ନ ଫେରି ସେ ମହା ଅନ୍ଧକାରେ ।। ୪ ।।