Wq/or/ରଚନାବଳୀ/ମାୟାଧର ମାନସିଂହ/ଦୂରେ ରହ ଦୂରେ ରହ
ଦୂରେ ରହ, ଦୂରେ ରହ
ସନ୍ନିଧି ତବ ହେ ପ୍ରିୟ କିଶୋରୀ
ହୋଇ ଉଠେ ଦୁର୍ବହ
ତବ ଯୌବନେ ଜୁଆର ଆସିଛି
ରୂପର ଊର୍ମି ଧରି
ଲୋମେ ଲୋମେ ତବ ସୁଷମା ଜାଗଇ
ଚେତନା ଉଠଇ ଥରି
ମଦ୍ୟ ଝରଇ ଅଧରରୁ ଅହରହ
ଦୂରେ ରହ, ଦୂରେ ରହ
ଶରୀର ଗନ୍ଧେ ସୁରା ଅଛି ଲାଗି
ପାଗଳ କରାଏ ମୋତେ
ନୟନ ଟାଣୁଛି ବଡ଼ଶୀ ପରି ଗୋ
ନିତ୍ୟ ତୁମରି ପଥେ
କେ ଜାଣେ କି ହେବ ଭାବି ଲାଗେ ମତେ ଭୟ
ଦୂରେ ରହ, ଦୂରେ ରହ
ରୂପସୀ, ତୁମର ରୂପ ସାଗରରେ
ଦେବି ଯଦି ଅବଗାହ
କହି ବି ପାରିବି ଶେଷ ହେବ ମୋର
ଜୀବନର ସବୁ ଦାହ ?
ପରିଣାମ ଯେଣୁ ନହିଁ ପାରେ କରି ଥୟ
ଦୂରେ ରହ, ଦୂରେ ରହ
ତଥାପି ରୂପସୀ କିଶୋରୀ ତୁମର
ଉଚ୍ଛଳ ଯୌବନେ
ଏକ ଗଣ୍ଡୁଷେ ପାନ କରିବାର
ବାସନା ଜାଗଇ ମନେ
ରୂପ ତବ ସଖି, ବଡ଼ହିଁ ତୀବ୍ର
ବଡ଼ହିଁ ଦୁର୍ବିସହ
ଦୂରେ ରହ, ଦୂରେ ରହ
ହାୟରେ ଭୟାଳୁ ନିଜରେ ପଚାର
ଦୂରେ ସେ ରହିବ କାହିଁ ?
ଅନ୍ତରେ ଯାର ନିବାସ ତାର ତ
ଦୂର ବା ନିକଟ କାହିଁ
ତେଣୁ ସେ କିଶୋରୀ ମରମରେ ରହି
ମାରୁଅଛି ଅହରହ
ବିଫଳ କହିବା ସିନା ତାକୁ ସତେ
‘ଦୂରେ ରହ, ଦୂରେ ରହ’