Wq/or/ରଚନାବଳୀ/ବୈକୁଣ୍ଠନାଥ ପଟ୍ଟନାୟକ

< Wq‎ | or

ଜୀବନ ପାତ୍ର ମୋEdit

ଜୀବନପାତ୍ର ମୋ ଭରିଛ କେତେ ମତେ
ନ ଦେଲେ କିଛି ବୋଲି କହିବି କି ହେ ଆଉ ?
ଜୀବନ ପ୍ରିୟତମ ହରିଛ ମୋ ଭରମ
ତରଣୀ ମୋର ତବ ସାଗରେ ବହିଯାଉ୤

କୁଳର ଜନପ୍ରାଣୀ କେତେ ମିଳାଅ ଆଣି
ନୟନ ପଲକରେ ଲୁଚାଅ ଜାଣି ଜାଣି,
ବୃଥା ମୁଁ ଅଭିମାନୀ ହୃଦେ ଧରଇ ଟାଣି
ମରତ ପ୍ରବାସୀ ମୁଁ ନ ଜାଣି ଆଣେ ଦାଉ୤

ମାନସ-ହଂସ ମୁଁ ମାନସେ ଯିବି ଉଡ଼ି
ମୋ ଦୋଷେ ପଥ ହୁଡ଼ି ଭରମେ ଅବିରତ,
ଅଳପ ତୃଷା କ୍ଷୁଧା ଲଭି ତୁମରି ସୁଧା
ତୃପତ ହେଲା, ତେବେ ଲୋଡ଼ଇଁ ଏ ମରତ !

ନିଜ ବାସନା ଜାଲେ ବିକଳ ବିଧୃତ,
ତିମିର ଅଜ୍ଞାନେ ମିଳେ କି ଅମୃତ ?
ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି
ଲଂଘି ହିମଗିରି ଯିବି ଗୋ ବେଳ ଥାଉଁ୤

ଦେଇଛ ପ୍ରିୟା ପ୍ରାଣେ ଅମର ପ୍ରୀତି ଭରି
ମୋ ଶିଶୁ କ୍ରନ୍ଦନେ ଅମର ମୋର ଆଶା,
ପ୍ରଭାତ ସନ୍ଧ୍ୟାରେ ଖେଳାଇ ରୂପ ଢ଼େଉ
ବିକଳ କଣ୍ଠେ ମୋ ଫୁଟାଇଛ ତ ଭାଷା,
ଗାଇବି ବନ୍ଦୀ ମୁଁ ଚରଣ ବନ୍ଦନା,
ସେ ଲାଗି ଏ ବୀଣାରେ ଦେଇଛ ମୂର୍ଚ୍ଛନା,
ସେ ସୁଖ କରି ହେଳା ଲଗାଇଲି ମୁଁ ଖେଳା
ମିଳନ ମଧୁରାତି ପାହିଲା ଚାହୁଁ ଚାହୁଁ୤

ମିଥ୍ୟା ବିପଣୀରେ ବଣିଜ ମରଣ ଯେ
ନ ଚେତି ତିଳେ ଯାହା କଲି ମୋ ମଣି ଭାଉ !
ପଉଷ ତରୁ ମୁଁ ଗୋ ପଳିତ ମୋ ପତର
ନିରାଶା ପରଶରେ ଝରିଛି ଅକାଳରେ
ନାହିଁତ କେବେ ତିଳେ ଶୋଚନା ଖେଦ ମୋର
ହୃଦୟମଣି ମୋର ସାଗର ଅତଳରେ୤

ପରାଣ କୁଞ୍ଜେ ଗୋ ତାର ମୁରଲି ଧ୍ବନି
ପରାଣ-ପବନେ ଗୋ ତା ଶୁଭ ଆଗମନୀ,
ଜୀବନେ ଦେବା ନେବା ଭିଆଣ ସବୁ ତାର
ସେ ମହାଦାନୀ ହସେ ପରାଣେ ଦେଖିନାହୁଁ ?

ତା ପରଶେ ପଉଷ ଜୀର୍ଣ୍ଣ ଜୀବତରୁ
ପଲ୍ଲବିତ ଆହା ଶୋଚନା କିବା ଆଉ ?
ଚାଲରେ ଚାଲ ମନ ନିତ୍ୟ ମଧୁବନ
ଦେଖିବୁ ପ୍ରିୟ ରାସ, ଅଦୂରେ ଗୋଲକରେ
ଅଦୂର ପଥେ ଆଜି ମିଳନ ତାର ସାଥେ
ବିଜୟ ରଥେ ତୋର ଜୀବନ ଆଲୋକରେ !

ଯାତ୍ରୀପଥ ତୋର ପଲକେ ହେବ ଶେଷ,
ଶେଷରେ ସନ୍ଦେହ ସକଳ ତୋର କ୍ଲେଶ,
ଧନ୍ୟ ହେବୁ ଆଜି ପୁଣ୍ୟ ଦରଶନେ,
କ୍ଷୁର୍ଣ୍ଣ ସବୁ ପାପ ଦୁଷ୍କୃତିର ରାହୁ !

ଜୀବନ-ଦେବତା ମୋ ଜୀବନ ପଥେ ବିଜେ,
ତରଣୀ ମୋର ତାର ସାଗରେ ବହିଯାଉ !॥