Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା: ୪
ଥଣ୍ଟରେ ପାଣି ପକ୍ଷୀ ନେଲେବି ଶୁଖେନି ଜଳ ନଦୀର ,
ଦାନ ପୂଣ୍ୟରେ ଧନ ସରେନି, କହଇ ଦାସ କବୀର ।
ସାଧୁଙ୍କ ନିନ୍ଦା ଯେ କେହି କରେ, ସଙ୍କଟରେ ପଡେ ସେହି,
ଜନ୍ମ ଜନ୍ମାନ୍ତେ ନରକ ଭୋଗ, ସେମାନଙ୍କ ନାହିଁ ତ୍ରାହି ।
ବିଷୟ ଭୋଗେ ବୁଡି ରହିଲୁ, ନିଷ୍ଫଳ କଲୁ ଜନମ,
ପଶ୍ଚାତାପରେ ମଗ୍ନ କାହିଁକି, ସ୍ମରଣ ରଖ କୁକର୍ମ ।
ଧରମ କଲେ ଧନ ସରେନି, ସରେନି ଜଳ ନଦୀର ,
ନିଜ ଆଖିରେ କର ଦର୍ଶନ, କହଇ ଦାସ କବୀର ।
ଅତି ହଟ ତୁ କରନି ବାୟା, ହଟରେ କାମ ନ ହେବ,
ଯେତେ ବୁଡିବ ବସ୍ତାଏ ତୁଳା, ସେତେ ସେତେ ଭାରୀ ହେବ ।
ଦୟା ପ୍ରେମ ସହ ସତ୍ ଜ୍ଞାନ, ଭକ୍ତି ଆବର ବିଶ୍ଵାସ,
ସଦ୍ ଗୁରୁ ପାଦେ ଏ ସବୁ ଗୁଣ, ତୋଳନ୍ତି ନିଜ ନିବାସ ।
ଗୁରୁ କୁମ୍ଭାର ଶିଷ୍ୟ ମାଠିଆ, ଘଡି ଘଡି କାଢେ ଖୋଟ,
ଭିତରେ ସ୍ନେହ ରଖନ୍ତି ଗୁରୁ, ଉପରେ ମାରନ୍ତି ଚୋଟ ।
ଚଢେଇ ପରି ମନଟି ଉଡେ, ଯୁଆଡେ ଇଚ୍ଛା ଯାଏ,
ଯେପରି ଯିଏ ସଙ୍ଗତ କରେ, ସେପରି ଫଳ ପାଏ ।
କ୍ଷମା, ଚରିତ୍ର ମନରେ ଥିଲେ ଦିବ୍ୟ୍ ଦୃଷ୍ଟି ଉତ୍ପନ୍ନ,
ବିନା ଚରିତ୍ର କିଛି ବି ନାହିଁ, ଲକ୍ଷେ କଥା ନିମଗ୍ନ ।
କବୀର, ଜ୍ଞାନ ବିଚାର ବିନା, ହରି ଖୋଜିବାକୁ ଯାଉ,
ସଭିଙ୍କ ଦେହେ ଅଛନ୍ତି ପ୍ରଭୁ, ପରୀକ୍ଷା ତୁ କରି ନାହୁଁ ।