Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୯
ଆଖିକୁ କୋଠରୀ କରି ପିତୁଳା ପଲଙ୍କ ସଜେଇ ଦେଲି,
ପଲକ ପର୍ଦ୍ଦା ତଳକୁ କରି ପ୍ରିୟଙ୍କୁ ଖୁସି କରିଲି । ୧।
ଯଦି ଡରୁଛୁ ମରିବା ପାଇଁ ପ୍ରେମ ନାହିଁ ତୋ ମନରେ,
ପ୍ରେମର ଘର ବହୁତ ଦୂର, ଗଣ୍ଠି ପକା ତୋ ମନରେ ।୨।
ଭାବ ନ କରି ହରିଙ୍କ ସାଥେ, ହରିଜନ ସାଥି କରି, (ହରିଜନ - ସତ୍ ଗୁରୁ)
ହରି ଦିଅନ୍ତି ଅର୍ଥ ମୂଲକ, ହରିଜନ ଦିଏ ହରି ।୩।
ଦେହ ବିଚ୍ଛେଦ ହେଲେ କି ହେଲା, ଅଛ ସଦା ମୋର ପାଶେ,
ଚକ୍ଷୁରୁ ଅନ୍ତର ହେଲେ କି ହେଲା, ହୃଦ, ଆତ୍ମା ତୁମ ପାଶେ ।୪।
କୁମୁଦ ଫୁଟେ ପୁଷ୍କରିଣୀରେ, ଜହ୍ନ ଶୋଭେ ଆକାଶେ,
ଯାହାର ପ୍ରେମ ଯାହା ସାଥିରେ, ରହେ ସେ ତାହାର ପାଶେ ।୫।
ପ୍ରେମ କବିତା ଲେଖନ୍ତି ବସି, ଯାଆନ୍ତେ ଯଦି ବିଦେଶ,
ସଦା ମନ, ତନୁ ଚକ୍ଷୁରେ ବିଜେ, ତାଙ୍କୁ ଦେବି କି ସନ୍ଦେଶ ।୬।
କଠିନ ପରୀକ୍ଷା ପାର ଯେ ହୁଏ, ବାଣୀ ମୁଁ ତାଙ୍କୁ ଶୁଣାଏ,
ଆମ ଶ୍ରେଣୀର ଯୋଗ୍ୟ ସେମାନେ, କବୀର କହି ବୁଝାଏ ।୭।
ସୁଖରେ ସ୍ମରଣ କରିଲୁନି ତୁ, ଦୁଃଖରେ ପକାଉ ମନେ,
କବୀର କହେ ଏ ଭଳି ଦାସର ଫରିଆଦ କିଏ ଶୁଣେ ।୮।
ସ୍ମରଣ ସିଦ୍ଧି କର ଯେପରି କାମୀ ଇଚ୍ଛା କରେ କାମ,
ଏକ ପଳ ବି ବିସ୍ମୃତ ନୋହୁ, ନିଶି ଦିନ ନିଅ ନାମ ।୯।
ସ୍ମରଣ କର କୁରଙ୍ଗ ସମ, ଯେ ଶୁଣି କୁରଙ୍ଗୀ ନାଦ,
ଦେହି ନାଦରେ ଭୁଲି ଯାଏ ସେ, ଭୁଲି ପ୍ରାଣ ବିପଦ ।୧୦।
ଏକାଗ୍ର ଭାବେ ସ୍ମରଣ କର, ମୁଖରେ ନ କହ ବୋଲ,
ବାହାର ଦ୍ଵାର ବନ୍ଦ କରି ତୁ, ଅନ୍ତରାତ୍ମା ଦ୍ଵାର ଖୋଲ ।୧୧।
ମାଳା ଗଡେଇ ଯୁଗ ବିତିଲା, ସରୁନି ଗଡା ମନର,
ହାତର ମାଳା ଫୋପାଡି ଗଡା ମନରେ ମାଳା ନାମର ।୧୨।
ସ୍ମରଣ ମାଳା ମନରେ ଗଡା, ଦେଖାନି ସଂସାରୀ ଭେକ,
ମାଳା ଗଡାରେ କି ହରି ମିଳେ? କୂପ ରହନ୍ତକୁ ଦେଖ ।୧୩।(ରହନ୍ତ- ଏକ ସଙ୍ଗେ ଦୁଇଟି ବାଲ୍ଟି ବନ୍ଧା) ।