Wq/or/ଦନାଇ ଦାସଙ୍କ ଲୋକ ଉକ୍ତି

< Wq‎ | orWq > or > ଦନାଇ ଦାସଙ୍କ ଲୋକ ଉକ୍ତି

ଓଡ଼ିଆରେ "ଦନା ବଚନ" ବା ଦନାଇ ଦାସଙ୍କ ଲୋକ ଉକ୍ତି ସବୁ ଗାଁ ଗହଳିରେ ପ୍ରଚଳିତ ଅଛି । ଦନାଇ ଦାସ ବା ଜନାର୍ଦ୍ଦନ ଦାସ ଅନେକ ଲୋକଗୀତିର ରଚୟିତା । ତାଙ୍କ ରଚନା ସମୂହ ଲୋକ କଥିତ ଭାଷାରେ ଲେଖା ଓ ଶ୍ରୁତିମଧୁର । ଏହାର ପଦ ଲାଳିତ୍ୟ ମଧ୍ୟ ମଧୁର ।

ଘର ଗୁମର ଯେ ଗପେ ଦାଣ୍ଡରେ
ଯାତ୍ରା ଦେଖିଯାଏ ଘେନି ରାଣ୍ଡରେ
ମାଛ କଣ୍ଟା ଫିଙ୍ଗେ ଗୋରୁ କୁଣ୍ଡରେ
ଅଭବ୍ୟ କଥା ଧରଇ ତୁଣ୍ଡରେ
ମିତ ବସର ସେ ଠକ ଧେଣ୍ଡରେ
ଦନାଇ ଏହାଙ୍କୁ ଗଣେ ଭାଣ୍ଡରେ ।।

କଟା ଘାଆରେ ଲାଗେ ଲଙ୍କାବଟା
ଟାଙ୍ଗରା ମୁଣ୍ଡରେ ଯେ ଗୋବି କଣ୍ଟା
ଆମ[1] ଝାଡ଼ାରେ ଯେ ଖାଏ ଓଉ ଖଟା
ଆପଟ ବେହେରା ଜଖମ ଅଣ୍ଟା
ଗାଧୁଆ ପୋଖରୀ ନିଇତି ଘଣ୍ଟା
କହେ ଦନାଇ ଏ କରମ ତଣ୍ଟା...


କଟା ହୋଇଥିବା ହରଡ଼ ବିଲରେ
ଯେଉଁ ତରତର ଦଉଡ଼
ଆକଟ ପହଞ୍ଚା ବେଭାର ଭାରକୁ
ଯେଉଁ ପେଟମରା ଗଉଡ଼
ପାଦ ପକାଇଲେ ଖିଲ ଖସିଯାଏ
ସେ ଯେଉଁ ରୁପାର ପାହୁଡ଼
ପଣା ସଂକ୍ରାନ୍ତିରେ ଦୁଇ ପହରରେ
ସେ ଯେଉଁ ସାପର ଘାଉଡ଼
ଗଛରୁ ପଡିଲେ ଛତର ଚାଳ ଯେ
ସେ ଯେଉଁ ନଡ଼ିଆ ପଇଡ଼
କହଇ ମୁରୁଖ ଦନେଇ ଦାସ ଯେ
ଏଥିରେ ପରମାଦ ବଡ଼...

କଣନଖା ଯେବେ ହୁଏ ଚଷାର
କାଠି ଘଷରା ହୋଇଲେ ପଶାର
ଓଠରେ ଲାଗିଲେ ଆମ୍ବୁଲ ସାର
ଅଭ୍ୟାସ କରେ ଯେ ଗୋଡ ଘଷାର
ବେପାର କରି ନ ବଢ଼େ ପସାର
ଢମଣା ପଶିଲେ କୁଆ-ବସାର
ବୋଲେ ଦନାଇ କୋଳାହଳ ସାର...

ରମରେ ଥାଇ ଯାହାର ଦଶା
ସେ କିମ୍ପା କରଇ ପରକୁ ଆଶା
ପରସ୍ତରୀ ଯେବେ ହରଇ ପୁଁସା
କହେ ଦନାଇ ଏ ପାପ ଦୁର୍ଦ୍ଦଶା

କଅଁଳ ନଡ଼ିଆ ଖାଇବା ସୁଖ
କଅଁଳ ଗୁଆଯେ ବାନ୍ଧଇ ମୁଖ
କଅଁଳ ଭାତଯେ ଭେଣ୍ଡାକୁ ରୁଖ (ମଦ)
କଅଁଳା ବାଛୁରି ଦୁଧ ପରଖ
କଅଁଳା ପୁଅ ଯେ ଲୋଡ଼ଇ କାଖ
କଅଁଳ କାଠଯେ ନୁହଁଇ ଅଖ
ଦନାଇ କହି
କଅଁଳ କୁହାକୁ ବିଶ୍ୱାସ ନାହିଁ

କୁଳୀନ ବଢିଲେ ଖା'ନ୍ତି ଟାଣ, ଶଳା ବଢନ୍ତି ବଢିଲେ ପଠାଣ ।
କ୍ଷତ୍ରୀୟ ବଢିଲେ ବଢନ୍ତି ରାଣ୍ଡ', ମୂରୁଖ ବଢିଲେ ବଢନ୍ତି ଭାଣ୍ଡ ।
ବୈଶ୍ୟ ବଢିଲେ ବଢ଼ଇ ଲୋଭ, ଚଷା ବଢିଲେ ପିନ୍ଧନ୍ତି ଧୋବ ।
ଖଣ୍ଡୈତ ବଢିଲେ ନିଶରେ ତାଇ. ମୁଦା ନହୋଇଲେ ବଢ଼ଇ ଘାଇ ।
ବେପାର ବଢିଲେ ବଢ଼ଇ ଖାତା, ମହନ୍ତ ବଢିଲେ ରଖନ୍ତି ମାତା ।
ମାହାନ୍ତି ବଢିଲେ ବଢେ କପଟ; ତେଲୀ ବଢିଲେ କିଣନ୍ତି କବାଟ ।
ତାଡିଖିଆ ବଢେ ବଢିଲେ ଧୋଵା; ଗୌଡ ଵଢିଲେ ଖାଆନ୍ତି କୋଵା ।
ଫସଲ ବଢିଲେ ବଢ଼ଇ ତେଂଡା; ଭଣ୍ଡାରୀ ବଢିଲେ ବଢ଼ଇ ପିଣ୍ଡା ।

କେଉଟ ବଢିଲେ ବଢ଼ଇ ଜାଲ, ଧନ ବଢିଲେ ଯେ ବଢ଼ଇ ଗାଲ ।
ବୈଦ ବଢନ୍ତି ବଢିଲେ ରୋଗ. ମହିମା ବଢିଲେ ବଢ଼ଇ ଭୋଗ ।
କୁଟୁଣୀ ବଢିଲେ ବଢେ ଭୂଷଣ , ପାଷାଣ୍ଡ ବଢିଲେ ବଢେ ଦୂଷଣ ।
ପୋଇଲୀ ବଢିଲେ ବଢ଼ଇ ସୁନ୍ଥା,ହଗା ବଢିଲେ ବଢ଼ଇ କୁନ୍ଥା ।
ଗଚ୍ଛ ବଢିଲେ ବଢ଼ଇ ଛାଇ, ନାଟୁଆ ବଢିଲେ ବଢ଼ଇ ଛଇ ।

ମୁଣ୍ଡ ବଢିଲେ ବଢ଼ଇ ପାଗ, ସାଆନ୍ତ ବଢିଲେ ବଢ଼ଇ ରାଗ ।
ଅନ୍ଧାର ବଢିଲେ ବଢ଼ଇ ଭୟ, ଯୋଗୀ ବଢିଲେ ବଢ଼ଇ ଲୟ ।
ନଈ ବଢିଲେ ବଢ଼ଇ ବାଲି, ଅକର୍ମା ବଢିଲେ ବଢ଼ଇ ପାଲି ।
ଗଡ ବଢିଲେ ବଢ଼ଇ ଗଳି', କଚେରୀ ବଢିଲେ ବଢ଼ଇ କଳି ।
ଯାତରା ବଢିଲେ ବଢେ ଗହଳି , ଦନାଈ ବଢିଲେ ବଢେ ପହଳି ।[2]

କଦଳୀ ପତର ସଭାକୁ
ଚମ୍ପା ନାଗେଶ୍ବର ଗଭାକୁ
ନିକ ଚାଉଳ ଭାତକୁ
କଳା କେନ୍ଦୁ ବାଡ଼ି ହାତକୁ
କୋଚିଲା ଖାଇ ଯେ ବାତକୁ
ଖରାଦିନ ରାତି ଯାତକୁ
ରସ ବୋଲିରେ କହଇ ଦନାଇ
ପାଇଥାଏ ତାର ଚିତ୍ତକୁ ॥

କେଉଟକୁ ଯେବେ ଧରେ ଶରଦ, ଦରଜୀ ଟିପ ହୋଇଲେ ଦରଜ
ବଣିଆର ଯେବେ ଆଖି ଧରଇ, ଗୁଡିଆ ହାତରେ ଛଉ ଫୁଟଇ
ଧୋବଣୀ ଗୋଡ଼ରେ ହୋଇଲେ କନ୍ଦା, ବୋଲେ ଦନାଇ ବୁଡେ ଏଙ୍କ ଧନ୍ଦା

କେମ୍ପା କରଣ ଆଉ ଛୋଟା ଘୋଡା
ଖନା ଅବଧାନ ଚାକର ତେଢା
ଅଣ୍ଟାଧରାରେ ଯେଉଁ ପାଣି କଢା
ବୋଲେ ଦନାଇ ଏ କରମ ଛଡା

କେମ୍ପା କରଣ ଆଉ ଛୋଟା ଘୋଡା
ଖନା ଅବଧାନ ଚାକର ତେଢା
ଅଣ୍ଟାଧରାରେ ଯେଉଁ ପାଣି କଢା
ବୋଲେ ଦନାଇ ଏ କରମ ଛଡା

କେଳାଂକ ବାକ୍ୟେଯେ କରେ ବିଶ୍ୱାସ
ଦଣ୍ଡ ବଇଠକେ ଛାଡେ ନିଃଶ୍ୱାସ
ନୀତି ମୂଲିଆକୁ ଧରଇ ଶ୍ୱାସ
ବୋଝେଇ ଶଗଡ ଝୁରା ଉଶ୍ୱାସ
ବୋଲେ ଦନାଇ ଏ ନୁହେଁ ଆଶ୍ୱାସ

କ୍ଷେତକୁ କପା ସୁନ୍ଦର, ଘରକୁ ଅପା ସୁନ୍ଦର
ଭକ୍ତକୁ ଛାପା ସୁନ୍ଦର, କାନ୍ଥକୁ ଲିପା ସୁନ୍ଦର
ବୁଢାଂକୁ ଜପା ସୁନ୍ଦର, ଦନାକୁ ଗପା ସୁନ୍ଦର

କ୍ରୋଧୀ ଲୋକ ବାରେ କି ଆପଣା ପର, ଯବନ ବାରଇ କି ଘର ଅଘର
ଶୋଷିଲା ବାରଇ କି ଅଛୁଆଁ ପାଣି, ଘଇତା ବାରଇ କି ଫଟା କାଲୁଣୀ
ଭୋକିଲା ବାରଇ କି ଶୁଖିଲା ଭାତ. ଦନାଈ ବାରଇ କି ମୁର୍ଖ ପଣ୍ଡିତ !

କୋମଳ ହୋଇଯେ ମୂଳା ବାର୍ତାକି, କନ୍ଦଳ ସମୟେ ଭାଇ କତିକି
ଭୀତିରେ ଯେ ଦମ୍ଭ କରେ ଛାତିକି, ନବ ବନିତା ହେଲେ କୌତୁକୀ
ବୋଲେ ଦନାଈ ଏ କଥା ବହକି

ଖଇର ନ ଥାଇ ପାନ, ହାକିମି ନ ଥାଇ ତାନ
ସିନିଅ ନଥାଇ ରାଣ, ପାଣି ନ ଥାଇଣ ଧାନ
ଭୂଷଣ ନଥାଇ କାନ, ବୋଲେ ଦନା ହୀନିମାନ

ଖଂଜା ଭିତରେ ସାପ, କରଜ ବୁଡା ବାପ
ରକ୍ତ ମିଶା ଛାପ, ବରଗିଂକର ଧାପ
ପରଦାରା ଯେ ପାପ, ବୋଲେ ଦନା ଆରେ ବାପ

ଖଣ୍ଡାଇତ ଯେବେ ହୁଏ ନିର୍ଦ୍ଦୟ, ରାଜା ଯେବେ ନ ଦିଅଇ ଅଭୟ
ଯୋଗୀ ହୋଇ ଯାର ନଥାଏ ଲୟ, ବୃଥା ବିବାଦେ ଧନ ହେଲେ କ୍ଷୟ
ଦାରୀ ଦାସୀ ରେ ବିତ୍ତ ହେଲେ ବ୍ୟୟ, ବୃଦ୍ଧ ବୟସେ ନ ମିଳେ ଆଶ୍ରୟ
ନୂପୁର ବଜା ଯେବେ ହୁଏ ହୟ, ବୋଲେ ଦନେଇ ଏ ବଡ ଅଥୟ

ଖରା ଡରୁଆ ଘର ନୁଆଣିଆ, ମାଗିବାକୁ ଆସେ ଯେଉଁ କୁଣିଆ
ସାବତ ଦିଅର ଖଣ୍ଡିଗଣିଆ, ସାହୁପୁଅ ଯେବେ ହୁଏ ମାଣିଆ (ଏକବାଗିଆ)
ମିଛ କହି ଠକେ ଯେଉଁ ଗୁଣିଆ, ପୋକ ବିନ୍ଧା ଯେ ଘୁଷୁରୀ ମାଣିଆ (ଏକ ପ୍ରକାର ମିଠା ଆଖୁ )
ବୋଲେ ଦନାଈ ଏ ଅକାରଣିଆ

କୁୂଅ ପାଣି ଯେବେ ହୁଏ ଲୁଣିଆ, ମଝି ପୋଲ ଯେବେ ହୁଏ ଟିଣିିଆ
ମେଘ ବରଷିଲେ ଏକପାଣିଆ, ବଡିବସା ବିରି ନୁହେଁ ଫେଣିଆ
ଭଜାମୁଗଜାଇ ହେଲେ କଣିଆ, ବୋଲେ ଦନାଈ ଏ ଅକାରଣିଆ

ଖରୁଡି ପାଗରେ ଯେ ବୁଣେ ଧାନ, ସ୍ନେହୀ ଲୋକଠାରେ ଯେ କରେ ମାନ
ଲକ୍ଷ ରୋଜଗାରୀ ଚଢିଲେ ଯାନ, ଦାଣ୍ଡ ଅଢଂଗେ ବସି ଖାଏ ପାନ
କୁଣ୍ଡଳ ପିନ୍ଧି ଯେ ହଲାଏ କାନ, ବରଠାରୁ କନ୍ୟା ଦଶନ୍ଧି ସାନ
ବ୍ରାହ୍ମଣ ଯେବେ ହୁଏ ସତ୍ୟବାନ, ଅରଜନ କରି ଯେ ଦିଏ ଦାନ
ବୋଲେ ଦନେଇ ବଢେ ସନମାନ

ଖାଇବ ସହଳ ଶୋଇବ ଆଗ
ଉଠିବ ଚଂଚଳ ଚାଲିବ ବେଗ
ଦନେଇ ବୋଲି ଜିତିବ ବାଘ

ଖାଇଲା ବ୍ରାହ୍ମଣ, ତିନ୍ତିଲା ମୂଷା
କାର୍ତ୍ତିକା ଗଉଡ, ଭୋଦୁଆ ଚଷା
ବୋଲେ ଦନେଇ କେ ଦେଖେ ଦୁର୍ଦ୍ଦଶା

ଖାପ ନଥାଇ ଖଣ୍ଡା, ପୁର ନଥାଇ ମଣ୍ଡା
ବଳ ନଥାଇ ଭେଣ୍ଡା, ଟଳଟଳିଆ ତେଣ୍ଡା
ନିରିଵାଳୁଆ ମେଣ୍ଡା, ଅଗାଡିଆ ଧାନ କେଣ୍ଡା
ଗୁଣ ଛେଦରା କଣ୍ଡା (ତନ୍ତ ର) , ମଝିିି ଚଡକା ଦଣ୍ଡା (ଶଗଡ ର)
ବ୍ରାହ୍ମଣ ପୁଆ ନଣ୍ଡା, କହେ ଦନାଇ ଏ ତଣ୍ଡା

ଖାଇ ପିଇ ଦରମା ନାହିଁ, ସେ ଯେଉଁ ନିଲଠା ଚାକେରା
ଗୁଡ ଭାଗକୁ ଟଂକା ବହକା, ସେ ଯେଉଁ ଦକ୍ଷିଣୀ କାକେରା
କଡାର ପକାଇ ଝଅଟ କାଢେ, ସେ ଯେଉଁ ମାଖେରୀ କାକେରା
ତେଲ ନଥାଇ ସାତ ସୁନ୍ଥାଣୀ ସେ ଯେଉଁ ଥୋବର ଛାକେରା
ସବୁ ବେଳେ ପର ଅନୁସରଣ, ଦନାଇ ବୋଲାଇ ନାକେରା

ଖାରିଆ କଖାରୁ ଗାରିଆ ପୋଥି . ଦାରିଆ ବ୍ରାହ୍ମଣ ମାରୁଆ ପଥି
କାରୁଆ ପୂଜାରୀ ଭାରୁଆ ଖଂଜ, ପୁରିଆ କରିଆ ଚୋରିଆ ଖଂଜ
ଛେରୁଆ ଛାଟିଆ ବର୍ଷୁଆ ସଂଯ , ବୋଲେ ଦନାଇ ବଡ ଦହଗଂଜ

ଖାଲରେ ନଳିତା, ଢିପରେ ଲଂକା ; ବାଉଁଶ ବାଡି ମୁଠା ଥିଲେ ବନ୍କା
ବାଟ ଚାଲିକୁ ପେଟ ଥିଲେ ଖଂକା ; ଖରଚ ପାଇଁ ହାତେ ଥିଲେ ଟଂକା
ଡାଲି ଘୋରିବାକୁ ଷଡେଇ ଡଂକା, ବୋଲେ ଦନାଈ ଏ ନଥାଇ ଶଂକା

ଖୁଂଟି ଉଠାହୋଇ ଯେଉଁ ଖିଅର, ଖଣ୍ଡିଗଣିଆ ଯେବଣ ଦିଅର
ପାଣି ନଳା ନାହିଁ ଯେଉଁ ଦୁଆର, କାନ୍ଥ ନଥାଇଣ ଯେଉଁ ଗୁହାଳ
ବୋଲେ ଦନାଇ ଏସବୁ ଖୁଆଳ (ମନ୍ଦ)

ଖୋସାମତିଆ ହୁଏ ଯେବେ ସାଂଗ, ଦୁଦୁରା ମଂଜି ମିଶା ହେଲେ ଭାଂଗ
କିଣା ଚାକର କାଢେ ଯେବେ ଆଂଗ, ବିଧବା ମୁଣ୍ଡରେ କାଟିଲେ ମାଂଗ
ଦନାଈ କହେ, ଏହିସବୁ କଥା ଭଲକୁ ନୁହେଁ !

ଗଂଜେଇ ଟଣାକୁ କିଆ କାହାଳୀ, କାଲ ଖନା ଓଝା ଯେଉଁ ଚାହାଳୀ
ନାତୁଆ ଗାଈକୁ ଯେଉଁ ଦୁହାଁଳୀ, ଶୀତ ରାତି ରେ ପଖାଳ ଖିଆଳି
ବିଦା ବଛା ନାହଁ ଯେହୁ ବିଆଳି, ମାନ୍ୟ ନାରିଂକୁ ଯେ ଦିଏ ଗାଳି
ହଳ ହଡା ନାହିଁ ଯେ ଭାଗୁଆଳି, ଓଦା କାଠରେ ଚୁଲୀ ଲାଗୁଆଳି
ବୋଲେ ଦନାଈ ସବୁ ଭାନ୍ଗୁଆଳୀ

ଗଡ ହୋଇ ପାଖେ ନଥାଏ ବଣ, ଘର ଗୃହସ୍ଥ ର ନଥାଏ ପଣ
ଟଂକା ହୋଇ ଯେବେ ନଥାଏ ଝଣ, ପୋଇଲୀର ଯେବେ ନଥାଏ ଠଣ
ଦାମୁଡି ବଳଦ ନୋହୋଇଲେ ମଣ, କହେ ଦନେଇ ଏସବୁ ନଗଣ

ଗର୍ଭପାତ ଯେ କରେ ବା କରାଏ, ପର ପାଚିଲା କ୍ଷେତକୁ ଚରାଏ
ଅନୁଢା କନ୍ୟାକୁ ଯେ କରେ ରତି, ବଳାକ୍ତାରେ ହରେ ପର ଯୁବତୀ
ରେତ ଢୋକଇ ଯେଉଁ ପାପୀ ନର, ଲୁଚି କରି ଦେଖେ ରତି ପରର
ଅଜରା ବିଶାଣ୍ୟ ଯେ ବୈଦ୍ୟ ଦିଏ, ବ୍ରାହ୍ମଣ ଯେବେ ବେଶ୍ୟାା ଘରେ ଖାଏ
ପଶୁ ହରଣ କରେ ଯେ ପାମର. ଗୁରୁପତ୍ନିଂକୁ ହରେ ଯେଉଁ ନର
ଗୁପ୍ତ ପାପକରି ଶାସ୍ତ୍ର ବଖାଣେ, ପରପୋଥୀ ଯେ ଚୋରି କରି ଆଣେ
ଦନାଇ ପୁକାରି ଦାଣ୍ଡରେ କହେ, ସେ ଲୋକ ଅଧା ବୟସେ ମରେ

ଗ୍ରହଣ ପରାଗ କନ୍ୟା ଦାନରେ, ବ୍ରାହ୍ମଣ ଭୋଜନ ସତ୍ୟ କାଳରେ
ଏକାଦଶୀ ବା ହୋମ ସମୟରେ, ଦୀକ୍ଷା ଗ୍ରହଣ ଶିବ ଦର୍ଶନ ରେ
ଯାହାର ପେଟରେ ଅନ୍ନ ରହଇ, ବୋଲେ ଦନାଈ ନରକ ଯାଇ!

ଗହଣ ଚାକର ହେଲେ ଗାଲୁଆ, ବସନ୍ତ ମୁଣ୍ଡି ହୋଇଲେ ଖାଲୁଆ
ଭାତ ତିଅଣ ହୋଇଲେ କାଲୁଆ, ପାଣିକୁ ଯେବେ ଡରଇ ଜାଲୁଆ
ମହାଜନ ପୁଅ ହେଲେ ଜାଲିଆ. ଶାରଦ ବିଲ ହୋଇଲେ ଡାଳୁଆ
ଯୁବତୀ ନାରୀ ବସନ ଝାଳୁଆ, ମଣିଷ ପିତ୍ତ ଖାଇଲେ ବିଲୁଆ
ରୋଷ ନଳା ହେଲେ ସାଲୁବାଲୁଆ, ଦନାଇ ମୁଁହ ବାଲୁବାଲୁଆ

ଗାଁଆ ପଧାନ, ରୋଗୀ, ବୃଦ୍ଧ ଗାଈ
ବାଳୁତ ପିଲା ଦାଇ ଭାଇ ବାଇ
ଗହର୍ ଧନ୍ଦାରେ ବ୍ୟସ୍ତ ନାରୀ
ଋଣଦାତା ପୂରୋହିତ ଭିକାରୀ
ରାଜା ଗୁରୁଜନ କର୍ମୀ ବ୍ରାହ୍ମଣ
ନିଶାଖିଆ ଯେଉଁ ଅଧର୍ମୀ ଜନ
ଜମିଭାଗ ଧରିଥିବା ଚଷା
ବୋଲେ ଦନାଈ ନୋହିବଟି ରୋଷା

ଟୀକାEdit

  1. ଆମ ଝାଡ଼ା ଆମାଶୟ ଝାଡ଼ା
  2. ପ୍ରହରାଜ, ବଟକୃଷ୍ଣ. ଓଡ଼ିଆ ପ୍ରହେଳିକା ସଂଗ୍ରହ