Wq/or/ଜଗତେ କେବଳ

< Wq‎ | orWq > or > ଜଗତେ କେବଳ

ଜଗତେ କେବଳ କବିସୂର୍ଯ୍ୟ ବଳଦେବ ରଥଙ୍କ ବିରଚିତ ଏକ କବିତା । ଏଥିରେ ଅନେକ ଉପଦେଶମୂଳକ କଥାକୁ ତୁଳନା ମାଧ୍ୟମରେ ବୁଝାଇଦିଆଯାଇଛି ।

ରାଗ - ଆଷାଢ଼ଶୁକ୍ଳ

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ।। ଘୋଷା ।।
 
ଜଟିଳ କରି ସ୍କନ୍ଧ ରୋମରାଜି । ଶିଖରିଦରୀରେ ମରୁ ଗରଜି ।
କୁଟିଳ କରି ଭ୍ରୁକୁଟୀକୁ ଚାହୁଁ । ସରମା କଣ୍ଠୀରବ ହେବ କାହୁଁ ।। ୧ ।।
 
ଅଲକତଦ୍ରବ ନୟନେ ବୋଳି । ରସାଳ ଗହଳ ଶାଖାରେ ଖେଳି ।
କବଳ କରୁ ତା କଳିକଳାପ । କାକ କି କରିବ ପଞ୍ଚମାଳାପ ।। ୨ ।।
 
ବରଜୀବ-ରସେ ଦେଇ ମାନସ । ବରଜି ବରଷେ ଅମେଧ୍ୟ ଗ୍ରାସ ।
ଦେହେ ମନ୍ଦାକିନୀରଜ ଲଗାଇ । ଗ୍ରାମ ଶୂକର କି ହୋଇବ ଗାଈ ।। ୩।।
 
ଚଞ୍ଚୁ ଚରେଣେ ଲଗାଇ ହିଙ୍ଗୁଳ । ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ ।
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ । ତେବେ ସେ ମରାଳୀ ବୋଲାଇବ କି ।। ୪ ।।
 
ରଞ୍ଜି ନାୟକ ରଙ୍ଗେ ଚୋପଦାର । ଖଞ୍ଜିଲେ ହେଲେ ଚାବୁକ ସବାର ।
ଖିଲାଇଲେ ହେଲେ ନାନା ମସଲା । ତୁରଙ୍ଗ ହୁଏକି ରାସଭପିଲା ।। ୫ ।।
 
ବଦରିକା ବନେ ନିତ୍ୟ ନିବାସ । କରି ଆଚରି ବ୍ରତ ଉପବାସ ।
ପ୍ରଯତ୍ନ କଲେହେଁ ନାନାପ୍ରକାର । ଖଦ୍ୟୋତ ହୋଇବ କି ପ୍ରଭାକର ।। ୬ ।।
 
ଯାହାକୁ ଯାହା କରିଛି ଦଇବ । ତହୁଁ ନିକି ସେ ଅନ୍ୟଥା ହୋଇବ ।
ଘେନିଲେ ହେଲେ ଯତ୍ନେ କୋଟି ପୁଟ । ପିତ୍ତଳୁଟି କେହି ହେବ ପୁରଟ ।। ୭ ।।
 
ଦେବ ଉପବନେ ହୋଇ ଜନିତା । ସ୍ୱବାସମଦରୁ ଜବସଲତା ।
ତୁଳସୀ ତୁଲେ ହେଲେ ମିଶାମିଶି । ତାହାକୁ ଯେବେ ବୋଲିବା ତୁଳସୀ ।। ୮ ।।
 
ସମଜଇ ନାହିଁ ସ୍ୱଜାତି ଭାଷା । କହିଲେ ଯେ ହୁଅଇ ଲୋକହସା ।
ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ । ଷଡ଼ଦର୍ଶୀ ତୁଲେ କଲେ ବିବାଦ ।। ୯ ।।
 
ଦେହରେ ବାଜିଲେ ପର ନିଶ୍ୱାସ । ସମ୍ଭାଳିବାକୁ ନ ଥାଇ ବିଶ୍ୱାସ ।
ନିର୍ଲ୍ଲଜ ଅଭିମାନେ ଡେରି ଛାତି । ହାତୀ ଲଢ଼ାଇକି ବାନ୍ଧିଲେ କାତି ।।୧୦ ।।
 
କରମରେ ତ ହୋଇଅଛି ଲେଖା । କରମର୍ଦ୍ଦକ ଯୋଗ୍ୟ ତୋର ଶିଖା ।
ହରମଉଳିଯୋଗ୍ୟ ଚମ୍ପକକୁ । ଭରମରେ ବୃଥା ପଡ଼ି ଯା ଟାକୁ ।। ୧୧ ।।
 
ଚାରୁଚନ୍ଦ୍ରୋଦୟା ମଶାଲ ପାଖେ । ବହ୍ନି ଜାଳିବ ଯେବେ ଦିଶା ମୁଖେ ।
ଧାତା ତ କରିନାହିଁ ତାନୀକାଶ । କିରୂପେ ହେବ ସେପରି ପ୍ରକାଶ ।। ୧୨ ।।
 
ବୋଳି ହୋଇ ଭୂତି ଧରି ପରଶୁ । ବଳୀବର୍ଦ୍ଦବର ଚରମେ ବସୁ ।
ଗଉରୀ-ପ୍ରାଣନାଥ ଅନୁଭାବ । ଠଉରି ପାରିବ ନାହିଁ ତା ଲବ ।। ୧୩ ।।
 
ସରପର୍ପଟି ଯାହାକୁ ମିଳଇ । ସେ ସୁଖେ ତା ଭୋଜନେ ପ୍ରବଳଇ ।
ସଢ଼ାଇବାକୁ ତା ବଡ଼ାଇ ବସି । ଦୁର୍ମତି ଯେବେ ଚୋବାଇବ ଘଷି ।। ୧୪ ।।
 
ଚିର ତପତଳୁ କେଉଁ ପୁରୁଷ । ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ ।
କରିଷେ ସଞ୍ଚରିବା ନ ସହିବ । କରୀଷକଟେ ଯେବେ ଆରୋହିବ ।। ୧୫ ।।
 
ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି । ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି ।
ବଳାହିତ ରତ୍ନ ପରି ଦିଶିବ । ବାଳା ପୟୋଧର ହାରେ ମିଶିବ ।। ୧୬ ।।
 
ସତର ବୟସୀ ସତତ ମନ । କରଇ ଯାହାକୁ ଅନୁଗମନ ।
ଛବି-ଶୂନ୍ୟ, ଷଣ୍ଢ ବୃଦ୍ଧ ତା ତୁଲେ । ଅବିବେକବଶୁ ବିବାଦୀ ହେଲେ ।। ୧୭ ।।
 
ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା । ସଙ୍ଗକୁ ଅଙ୍ଗୀକାର କଲା ସିନା ।
ହୋଇଲି ତ ବୋଲି କନକ ତୁଲ୍ୟ । ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ ।। ୧୮ ।।
 
ଗଜପତି କୁମ୍ଭସ୍ଥଳ ବିଦାରି । ସଜ ପଲଳ ଭୁଞ୍ଜିବାରୁ ହରି ।
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ । ଜମ୍ବୁକ ଯଶସ୍ୱୀ ବୋଲିବା ଯେବେ ।। ୧୯ ।।
 
ମାନୋଦ୍ଧାରଣ ଶରଣପଞ୍ଜର । ବଘେଲ ବାଦଶା ନୃପକୁଞ୍ଜର ।
ରାଜା ଜଗଦ୍ଦେବ ହରିଚନ୍ଦନ । ଲଙ୍ଘିଲେ ତାକୁ ନ କରି ବନ୍ଦନ ।। ୨୦ ।।
 
ତାଙ୍କ ସୁଧର୍ମା ତୁଲ୍ୟ ସଭା କବି । ଭଣିଲେ ରାୟଗୁରୁ କବିରବି ।
ଶ୍ରବଣ-ସର୍ବାବୟବୀ ମାନବ । ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ ।
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ।। ୨୧ ।।

ଟୀକା:: ଶିଖରିଦରୀ - ପର୍ବତ ଗୁମ୍ଫା, ସରମା - କୁକୁର, କଣ୍ଠୀରବ - ସିଂହ, ଅଲକତଦ୍ରବ- ଅଳତାରସ, ରସାଳ - ଆମ୍ବ, କବଳ କରୁ - ଗ୍ରାସ କରୁ ବା ଖାଉ, ବରଜୀବରସେ - ଗୋରୁଦୁଧରେ, ଅମେଧ୍ୟ - ବିଷ୍ଠା, ମନ୍ଦାକିନୀରଜ - ଗଙ୍ଗାଧୂଳି, ଚଞ୍ଚୁ - ଥଣ୍ଟ, ଖଣ୍ଡମୃଣାଳ - ପଦ୍ମନାଡ଼ଖଣ୍ଡ, ବକୀ - ବଗୁଲି, ମରାଳୀ - ରାଜହଂସୀ, ଚୋପଦାର - ଅଗ୍ରଗାମୀ ସିପାହୀ, ତୁରଙ୍ଗ - ଘୋଡ଼ା, ରାସଭ - ଗଧ, ବଦରିକା ବନ - ବରକୋଳି ବଣ ଓ ତୀର୍ଥବିଶେଷ, ଖଦ୍ୟୋତ -ଜୁଳୁଜୁଳାପୋକ, ପ୍ରଭାକର - ସୂର୍ଯ୍ୟ, ପୁରଟ - ସ୍ୱର୍ଣ୍ଣ, ଜବସଲତା - ଦୂବଘାସ, ସ୍ୱବାସମଦରୁ- ନିଜ ଜନ୍ମସ୍ଥାନ ଗର୍ବରୁ, ନିର୍ବେଦ - ବୈରାଗ୍ୟ, ଷଡ଼ଦର୍ଷୀ - ଦର୍ଶନଶାସ୍ତ୍ରଜ୍ଞ ପଣ୍ଡିତ, କାତି - ଛୋଟ କଟୁରୀ, କରମର୍ଦ୍ଦକ - କରଞ୍ଜଫୁଲ, ଶିଖା - ମସ୍ତକ, ହରମଉଳି - ଶିବଙ୍କ ମସ୍ତକ, ଟାକୁ - ଅପେକ୍ଷାକରୁ, ଚାରୁଚନ୍ଦ୍ରୋଦୟ - ମନୋହର ଚନ୍ଦ୍ରଉଦିଆ ବଳିତା, ଦିଶାମୁଖେ - ଚାରିଆଡ଼େ, ତାକୀନାଶ - ତତ୍‌ସଦୃଶ, ଭୂତି - ପାଉଁଶ, ପରଶୁ - ଶସ୍ତ୍ରବିଶେଷ, ବଳୀବର୍ଦ୍ଦବର - ଷଣ୍ଢ, ଚରମ - ପିଠି, ଗଉରୀପ୍ରାଣନାଥ - ଶିବ, ଅନୁଭାବ - ତେଜ, ସରପର୍ପଟି - ଦୁଧରସରେ ତିଆରି ଏକ ପ୍ରକାର ମିଷ୍ଟାନ୍ନ, ବଡ଼ାଇ - ଗର୍ବ, ଘଷି - ଶୁଖିଲା ଗୋବର, କରିସେ - ବିନ୍ଦୁମାତ୍ର, ଅତି -ସାମାନ୍ୟ, ସଞ୍ଚରିବା - ପାଦରେ ଚାଲିବା, କରୀଷକଟ - ଘଷିବୁହା ପଟା, ବଳାହିତ ରତ୍ନ - ଇନ୍ଦ୍ରନୀଳମଣି, ଛବିଶୂନ୍ୟ - କୁରୂପ, ଷଣ୍ଢ - ନପୁଂସକ, ଗୁଞ୍ଜ - କାଇଁଚ, ପଲଳ - ମାଂସ, ହରି - ସିଂହ, ଜମ୍ବୁକ - ବିଲୁଆ, ସୁଧର୍ମାତୁଲ୍ୟ ସଭାକବି - ଦେବସଭା ତୁଲ୍ୟ ତାଙ୍କ ସଭାର କବି, ସହସ୍ରାକ୍ଷ - ଇନ୍ଦ୍ର, ଶ୍ରବଣସର୍ବାବୟବୀ ମାନବ - ଯେଉଁ ଲୋକର ସମଗ୍ର ଶରୀରରେ ଶ୍ରବଣ ପରି ଚିହ୍ନ ଥାଏ ।।