Wq/or/ଗୋପବନ୍ଧୁ ଦାଶ/ ରେଳ ଉପରେ ଚିଲିକା ଦର୍ଶନ

< Wq‎ | or

ରେଳ ଉପରେ ଚିଲିକା ଦର୍ଶନ[1] edit

ରହ ରହ କ୍ଷଣେ ବାଷ୍ପୀୟ ଶକଟ,
ଦେଖିବି ଚିଲିକା ଚାରୁ ଚିତ୍ରପଟ ।

ଚିତ୍ର ମଣେ ଯେଣୁ ନାହିଁ ଅନୁଭବ,
ବାସ୍ତବ ବିଶ୍ଵେ କି ଏ ଛବି ସମ୍ଭବ ?

ନୀଳ ବୀଚିମାଳା ଧିରେ ଧିରେ ଯାଏ,
ଲାଗଇ ସ୍ଵପନେ ଦେଖିଲା ପରାଏ ।

ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ,
ଓଲଟିଣ ତଳେ ଦିଶନ୍ତି ଯୁଗଳ ।

ଘୋର ନାଦେ ଯହୁଁ ଉଠିଲେ ସେ ନଭେ,
ଉଠେ ଶତ ଖଗ ଚିଲିକା – ଗରଭେ ।

ସତ୍ୟ ବୋଲି ମନେ ନ ହେଉ ପ୍ରତୀତ,
ପଲକେ ସେ ଦୃଶ୍ୟ ହୁଏ ତିରୋହିତ ।

ଦୂରେ ଘେନିଯାଏ ନିଦାରୁଣ ଯାନ,
ଆସେ ପୁଣି ତରୁ ଶିଳା ବ୍ୟବଧାନ ।

ନିମିଷେ ଲୁଚାଏ ନିମିଷେ ଦେଖାଏ,
ସ୍ଵପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ।

କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ,
କାହିଁ ବା ଧୂସର କାହିଁବା ଧବଳ ।

ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା,
ପ୍ରକାଶ ଚିଲିକା କରୁ କେତେ ମାୟା ।

ଦେବୀ ବୀଣାପାଣି ଶାଶ୍ଵତ ସେବକ,
କବି ରାଧାନାଥ ସୁଷମା-ଗ୍ରାହକ ।

ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ,
ବହୁ ନଦୀ ମରୁ କାନନ ପର୍ବତେ ।

ଦେଖିଲେ ପ୍ରକୃତି ବିବିଧ ପ୍ରକାଶ,
କିନ୍ତୁ ଶୋଭାଲୁବ୍‌ଧ ଶୁଦ୍ଧ ଅଭିଳାଷ ।

ସୁଖ-ଶାନ୍ତି-ପ୍ରୀତି କାହିଁ ଏକାଧାରେ,
ନ ପାଇଲେ ଯଥା ମିଳେ ତୋହଠାରେ ।

ଉତ୍କଳର ତୁହି ସୌନ୍ଦର୍ଯ୍ୟ ର ଖଣି,
ସାରସ୍ଵତ ନେତ୍ରେ ବାଛି ତହୁଁ ମଣି ।

ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର,
ଅର୍ପିଲେ ଉତ୍କଳ ଭାରତୀ ଗଳାର ।

ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ,
ତେଣୁ ଭାବିଥିଲି ଆସି ତୋର କୂଳେ ।

ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ,
କର୍ମ-ବନ୍ଧେ ଥିଲା ମନ କଥା ମନେ ।

ଏତେକାଳ ଅନ୍ତେ ପଡ଼ିଥିଲା ଯୋଗ,
ଆହା ସେ ସୁଯୋଗ ହେଲା କାହିଁ ଭୋଗ ।

ରହିଣ ଜଞ୍ଜାଳ ବିଷମ ଜଗତେ,
ସଂସାରୀ ସୋଦର ବାନ୍ଧବ ସଂଗତେ ।

ଇଚ୍ଛାମତେ କାହୁଁ ଚଳିବ ବା ଜନ ?
ସମାଜେ ନିଜର ନୁହେଁ ନିଜ ମନ ।

ବସି କେତେଥର ନୀରବ ବିଜନେ,
ଦେଖିଛି ତୋ ରୂପ କଳ୍ପନା-ନୟନେ ।

ତୋ ନୀଳ ତରଙ୍ଗେ ଖେଳେ ନିରନ୍ତର,
ଅନୁପମ ଦିବ୍ୟ ହିରଣ୍ମୟ କର ।

ଚାରୁ ଶକ୍ରଚାପ ତୋର ବକ୍ଷସ୍ଥଳେ,
ନାଚେ ଶତ ଶତ ମୋ କଳ୍ପନା ବଳେ ।

କଳ୍ପନା ଚିତ୍ରିତ ତୋ ସୁନ୍ଦର ତନୁ,
କାଳେ କାଳେ ଆଉ ନ ଯିବ ମୋ ମନୁ ।

ଆଜି ଲୋ ଚିଲିକା କଳ୍ପନା ପ୍ରଭାବେ,
ପୂରଇ ମୋ ମନ ଆହା କେତେ ଭାବେ ।

ଅତୀତର ସୁଖ ସ୍ମୃତି ସମୁଚ୍ଚୟ,
ହର୍ଷ-ଖେଦେ କରେ ଆକୁଳ ହୃଦୟ ।

ତୋ ମଧୁର ନାମେ ରହିଛି ଜଡିତ,
ଗଉରବାନ୍ଵିତ ଉତ୍କଳ-ଅତୀତ ।

କାହିଁ ଉତ୍କଳର ସେ ସୁକୃତରାଶି ?
ଯାହାର ପ୍ରଭାବେ ପ୍ରଭୁ ବ୍ରହ୍ମରାଶି ।

ନିଜେ ନିରଂଜନ ଜଗତ-ଈଶ୍ଵର,
ଧରିଣ ସୈନିକ ନର କଳେବର ।

ଉତ୍କଳର ଯଶଃ ପ୍ରତିଷ୍ଠା ରକ୍ଷଣେ,
ବିଜେ କଲେ ଘୋର ସମର- ପ୍ରାଙ୍ଗଣେ ।

କାହିଁ ସେ ସୌଭାଗ୍ୟ କାହିଁ ସେ ସୁକୃତ,
ପବିତ୍ର ଉତ୍କଳ ଆଜି କି ବିକୃତ ?

ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ,
ହରାଇଛି ସବୁ କର୍ମ-ଧର୍ମ-ବଳ ।

ନାହିଁ ମୁଖେ ତେଣୁ ପୂର୍ବ ଧର୍ମକାନ୍ତି,
ହୃଦୟେ ସ୍ବର୍ଗୀୟ ଧର୍ମଜାତ ଶାନ୍ତି ।

ଜୀବନେ ପବିତ୍ର ଉତ୍ସାହ ଶକତି,
ଉତ୍କଳର ଆହା କି ଘୋର ଦୁର୍ଗତି ।

କାହିଁ ଗଲା ପୂର୍ବ ଓଡ଼ିଆ ବୋଇତ ?
କାହିଁ ସେ ନାବିକ କର୍କଶ ସଂଗୀତ ?

ଜଳପଥେ କାହିଁ ବିଦେଶ ଗମନ ?
କାହିଁ ପୂର୍ବ ଖ୍ୟାତି କାହିଁ ପୂର୍ବ ଧନ ?

କଥାରେ ରହିଛି ସବୁ ଆଜିଯାଏ,
ସାଧବାଣୀ ବୋହୂ ବୋଇତ ବନ୍ଦାଏ ।

କଙ୍କରିତ ତୋର ଦୃଢ଼ ରମ୍ୟ ତଟ,
ଦୁର୍ଗମ ଶଇଳ ଅଭେଦ୍ୟ ସଂକଟ ।

ଖେଳାଉଥିଲେ ଯେ ଧରି ନିଜ ଦେହେ,
ଉତ୍କଳର କେତେ ବୀର ଶିଶୁ ସ୍ନେହେ ।

ଅଛି ସେହି ଗିରି ଅଛି ସେ ବିପିନ,
ଅଛି ତୋର ଶିଳା ସୁଦୃଢ଼ ପୁଳିନ ।

କିନ୍ତୁ କାହିଁ ଆହା ଏବେ ସେ ବୀରତା ?
ଓଡ଼ିଆ ଜାତିର ପୂର୍ବ ଜାତୀୟତା ?

ଆଧାର edit

  1. https://web.archive.org/web/20220518115550/http://odishan.com/?p=789 "ରେଳ ଉପରେ ଚିଲିକା ଦର୍ଶନ"