Wq/or/କବିତା/ ହରିବଂଶ ରାଏ ବଚ୍ଚନ/କବିତା:ମଧୁଶାଳା ଭାଗ ୨

ମଧୁଶାଳା ଭାଗ ୨Edit

ବହୁଥିବା ହାଲା ଦେଖିଛ, ଦେଖ, ଜ୍ୟୋତି ଉଠଉଛି ହାଲା,
ଦେଖ, ଓଠ ଛୁଇଁ ପିଆଲା ଏବେ ହୁଏ ଜ୍ଵାଳା ଦେବାବାଲା,
ଓଠ ନୁହେଁ, ଦେହ ଜଳେଇ ଦେଉ, କିନ୍ତୁ ପିଇବାକୁ ଦି ବୁନ୍ଦା ମିଳୁ,
ଏପରି ମଧୁ ପାଗଳାମାନଙ୍କୁ ଡାକୁଅଛି ଆଜି ମୋ ମଧୁଶାଳା ।୧୬।


ସବୁ ଧର୍ମ ଗ୍ରନ୍ଥ ଜଳେଇ ଦେଇଛି ଯାହା ଅନ୍ତରର ଜ୍ଵାଳା,
ମନ୍ଦିର, ମସଜିଦ, ଗୀର୍ଜା ସବୁକୁ ଭାଙ୍ଗିଛି ଯେ ମତୁଆଲା,
ପଣ୍ଡିତ, ମୁଲ୍ଲା, ପାଦ୍ରୀମାନଙ୍କର ଫାନ୍ଦ ଯେ କାଟି ସାରିଛି,
ସେହିମାନଙ୍କୁ ସ୍ଵାଗତ କରୁଛି ଆଜି ମୋର ମଧୁଶାଳା ।୧୭।


ଲାଳାୟିତ ଅଧରରେ ଯେ ଜନ ଚୁମି ପାରିନାହିଁ ହାଲା,
ହର୍ଷ କମ୍ପିତ ହସ୍ତରେ ଯିଏ ଛୁଇଁନାହିଁ ମଧୁ ପିଆଲା,
ଲଜ୍ଜିତ ସାକୀର ହାତ ଧରି ଯିଏ ପାଖକୁ ପାରିନି ଟାଣି,
ବ୍ୟର୍ଥଟାରେ ସେ ଶୁଖେଇ ଦେଇଛି ମଧୁମୟ ମଧୁଶାଳା ।୧୮।


ପ୍ରେମିକା ସାକୀ ପୁଜାରୀ ହୋଇଛି ଗଙ୍ଗାଜଳ ପରି ପବିତ୍ର ହାଲା,
ଅବିରାମ ଗତି କରି ବୁଲୁଛି ମଧୁ ପିଆଲାର ମାଳା,
ଆଉ ନେଇ ଯାଅ, ଆଉ ପିଇ ଯାଅ, ଏହି ମନ୍ତ୍ର ଜପ କରି,
ଶିବ ପ୍ରତିମା ହୋଇ ବସିବି ମୁଁ, ମନ୍ଦିର ହେଉ ଏ ମଧୁଶାଳା । ୧୯ ।


ମନ୍ଦିରେ ବାଜୁନି ଘଣ୍ଟି, ଚଢୁନି ପ୍ରତିମା ଉପରେ ମାଳା,
ମୁଅଜ୍ଜିନ ଘରେ ବସିଛି ପକେଇ ମସଜିଦ ଘରେ ତାଲା,
ଗଡ କବାଟ ଭାଙ୍ଗି ପକେଇ ଲୁଟନ୍ତି ଶାସକ ଧନ,
ଅଭିନନ୍ଦନ ପିଇଲାବାଲା, ଖୋଲା ରହୁ ଏହି ମଧୁଶାଳା ।୨୦।


ବଡ ବଡ କେତେ ପରିବାର ଗଲେ, ରହିଲେନି କେହି କାନ୍ଦିଲାବାଲା,
ଶୂନଶାନ ହେଲା ମହଲ ସବୁ, ନାଚୁଥିଲେ ଯହିଁ ସୁରବାଳା,
ରାଜ୍ୟ ଯାଏ, ଭୁପଦର ଭାଗ୍ୟ ଲକ୍ଷ୍ମୀ ନିଦରେ ପଡନ୍ତି ଶୋଇ,
ଜମେଇ ରହନ୍ତି ପିଇଲାବାଲା, ଚେଇଁ ରହିଥାଏ ମୋ ମଧୁଶାଳା ।୨୧।


ସବୁ ଯିବେ, ସାକୀ ସୁନ୍ଦରୀ ରହିବେ, ରହିଯିବ ଯମ କଳା,
ଶୁଖିଯିବେ ସବୁ ରସ, ରହିଯିବ ହଳାହଳ ଆଉ ହାଲା,
ଚହଳ ପହଳ ହେବା ସ୍ଥାନରେ ସବୁ ଶୁନଶାନ ହେବ,
ମଶାଣୀ ଅବିରତ ଜଗିବ, ଜଗି ରହିଥିବ ମୋ ମଧୁଶାଳା ।୨୨।


ସଂସାରରେ ଶୁଭ୍ର କୁହାଯିବ ସଦା କୁଟୀଳ, ଚଞ୍ଚଳ ପିଆଲା,
ବସ୍ତ୍ର ବିଳାସୀ ରସିକା ସାକୀ, ବେଢଙ୍ଗ ପିଇଲାବାଲା,
ପଟିବ କିପରି ମଧୁ ଜଗତର ଯୋଡି ତ ସଠିକ ନାହିଁ,
ଯୁଗ ଜର୍ଜର ପ୍ରତ୍ୟହ କିନ୍ତୁ ନିତି ନୂଆ ମଧୁଶାଳା । ।୨୩।


ନ ପିଇ ମଧୁଶାଳାକୁ ଯିଏ ଗାଳି କରେ, ସେ ମତୁଆଲା,
ପିଇ ସାରିବା ପରେ ତାହାର ମୁହଁରେ ପଡେ ତାଲା,
ଦାସ ଦ୍ରୋହି ଦୁଇ ମଧ୍ୟରେ ଜୟ ହୁଏ ସାକୀର ପିଆଲାର,
ବିଶ୍ଵ ବିଜୟିନୀ ହୋଇ ସଂସାରକୁ ଆସେ ମୋର ମଧୁଶାଳା ।୨୪।


ପରିପୂର୍ଣ୍ଣ ରହୁ ମଦିରାଳୟ, ସଂସାର ହେଉ ଆୟତ୍ତାଧୀନ,
ସେଠି ମହରମ ତମସା ଛାଏ,ଏଠି ହୋଲିର ଜ୍ଵାଳା,
ସ୍ଵର୍ଗରୁ ଧରାକୁ ସିଧା ଖସେ ଯେ, ଦୁଃଖ ସେ କଅଣ ଜାଣେ?
ମର୍ସିୟା ପଢେ ସାରା ଦୁନିଆ, ଇଦ ମନାଏ ମଧୁଶାଳା ।୨୫।


ବରଷକେ ଥରେ ମାତ୍ର ଆସିଥାଏ ‘ହୋଲି ହୋ ହୋଲି’ର ଜ୍ଵାଳା,
ବାଜି ଲଗେଇ ଥରେ ଖେଳନ୍ତି, ଜଳାନ୍ତି ଦୀପର ମାଳା,
ସଂସାର ଲୋକ ଆସି କେଉଁ ଦିନ ମଦିରାଳୟକୁ ଦେଖ,
ଦିନରେ ହୋଲି, ରାତି ଦୀପାଳି, ନିତି ମନାଏ ମୋ ମଧୁଶାଳା ।୨୬।


ଜଣା ନାହିଁ କେଉଁ ମନୁଜ ଆସିଲା ହୋଇ ପିଇଲାବାଲା
କେଉଁ ଅଚିହ୍ନା ସେହି ସାକୀଠାରୁ, ପିଏଇ ଦୁଧ ଯିଏ ପାଳିଲା,
ଜୀବନ ଲଭି ମାନବ ପିଇ ଖୁସିରେ ରହୁ, ଏହି କାରଣରୁ,
ଧରାକୁ ଆସି ସର୍ବ ପ୍ରଥମେ ପାଇଗଲା ମଧୁଶାଳା ।୨୭।


ଦୀର୍ଘାୟୁ ହେଉ ଅଙ୍ଗୁର ଲତା ମିଳେ ଯେଉଁଥିରୁ ହାଲା,
ଦୀର୍ଘାୟୁ ହେଉ ମୃତ୍ତିକା ସେହି ବନେ ଯେଉଁଥିରୁ ପିଆଲା,
ଦୀର୍ଘାୟୁ ହେଉ ମଦିରା ଶୋଷ, ତୃପ୍ତ ହେବା ଯେ ନ ଜାଣେ ,
ଦୀର୍ଘାୟୁ ହେଉ ପିଇଲାବାଲା, ଦୀର୍ଘାୟୁ ହେଉ ମୋ ମଧୁଶାଳା ।୨୮।


ସକୁଶଳ ମୁଁ ଅଛି ଭାବିବ, ସକୁଶଳ ଯଦି ସାକୀବାଲା,
ମଙ୍ଗଳ ଅମଙ୍ଗଳ କେମିତି ବୁଝିବ ମସ୍ତିରେ ପିଇଲାବାଲା,
ଆସି ମିତ୍ର ମୋ କୁଶଳ ନ ପୁଛି, କିନ୍ତୁ ମୋ ମଧୁଶାଳାକୁ,
ନ କହି 'ଜୟ ରାମ' ମିଳିମିଶି କହ 'ଜୟ ମଧୁଶାଳା' ।୨୯।


ସୁରୁଜ ହେଲା ମଧୁ ବିକ୍ରେତା, ସାଗର ଘଟ, ଜଳ ହୋଇଗଲା ହାଲା,
ସାକୀ ଆସିଲା ବାଦଲ ହୋଇ, ଭୁମି ହୋଇଗଲା ମଧୁ ପିଆଲା,
ହେଲା ଅବିରତ ମଦିରା ବର୍ଷା ରିମଝିମ୍, ରିମଝିମ୍, ରିମଝିମ୍ ହୋଇ,
ବେଲି ବିଟପ ତୃଣ ହୋଇ ମୁଁ ପିଇବି, ଯଦି ବର୍ଷା ଋତୁ ହୁଏ ମଧୁଶାଳା ।୩୦।

ଆଧାରEdit

http://manaskriti.com/kaavyaalaya/mdhshla.stm