Wq/or/କବିତା/ ସନ୍ଥ କବୀର/୮୨: କବୀର କହେ ବିଚାର କରି
ଚିନ୍ତାରେ ମଗ୍ନ କବୀର କହେ, ଯାହାର ନାହିଁ ଜାତି ବା ଦେଶ,
ନିର୍ଗୁଣ ଏବଂ ନିରାକାର ସେ, ପୂର୍ଣ୍ଣ କରନ୍ତି ସାରା ଆକାଶ ।
ସର୍ଜନା କଲେ ଆନନ୍ଦ ଖେଳ, ଓଁ କାରୁ ସୃଷ୍ଟ ସାରା ଜଗତ,
ମାଟି ତାଙ୍କର ଆନନ୍ଦ ଉତ୍ସ, ଆକାଶ ତାଙ୍କୁ ଦିଏ ଆନନ୍ଦ ।
ଆରମ୍ଭ, ମଧ୍ୟ, ଅନ୍ତରେ ଖୁସି, ଚକ୍ଷୁ, ଆଲୋକ, ଅନ୍ଧାରେ ଖୁସି,
ସାଗର, ଢେଉ, ଗଙ୍ଗା, ଜମୁନା, ସରସ୍ଵତୀରେ ତାଙ୍କର ଖୁସି ।
ଜୀବନ, ମୃତ୍ୟୁ; ଭେଟ, ବିଚ୍ଛେଦ; ଖେଳରେ ମିଳେ ଖୁସି ଅଶେଷ,
ତାଙ୍କ ନାଟକ ଜମି ଓ ଜଳ, ସାରା ସଂସାର, ମାଟି, ଆକାଶ ।
ଖେଳରେ ସୃଷ୍ଟିବ୍ୟାପକ ହୁଏ, ଖେଳ ଖେଳରେ ଏ ସଂସ୍ଥାପିତ,
କବୀର, ସୃଷ୍ଟି ତାଙ୍କର ଖେଳ, ଖେଳାଳୀ କିନ୍ତୁ ଅପରିଚିତ ।