Wn/or/ତିତି୍ଲି ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି

< Wn‎ | or
Wn > or > ତିତି୍ଲି ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି

ଶନିବାର, ଅକ୍ଟୋବର ୧୩, ୨୦୧୮

୧୯୯୯ ମସିହାରୁ ଓଡ଼ିଶାରେ ପ୍ରାୟ ସବୁବର୍ଷ ଅକ୍ଟୋବରରେ ବନ୍ୟା ହୋଇ ଆସୁଛି । ୧୯୯୯ର ମହାବାତ୍ୟା ପରେ ୨୦୧୩ ମସିହାରେ ଫାଇଲିନ୍, ୨୦୧୪ ମସିହାରେ ହୁଡ଼୍‌ହୁଡ଼୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁଣିଥରେ ପୂର୍ବ ଇତିହାସର ପୁନରାବୃତ୍ତି ହୋଇଛି ୨୦୧୮ ମସିହା ଅକ୍ଟୋବର ୧୧ ଏବଂ ୧୨ ତାରିଖରେ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତିତ୍‌ଲି ଧୀରେ ଧୀରେ ବାତ୍ୟାର ରୂପ ନେଇଥିଲା ଏବଂ ୧୧ ତାରିଖ ଭୋର ସମୟରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେଖାରେ ସ୍ଥଳଭାଗ ଛୁଇଁଥିଲା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ହୋଇଥିଲା । ପୂର୍ବରୁ ବାତ୍ୟା ପାଇଁ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ପବନର ବେଗ ଅଧିକ ଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ମଧ୍ୟ ଅନେକ କ୍ଷୟକ୍ଷତି ହୋଇଥିଲା । ଅତ୍ୟଧିକ ପବନ ଯୋଗୁଁ ଲୋକମାନଙ୍କର ଘର ସମେତ ପଲଶା ରେଳ ଷ୍ଟେସନରେ ବ୍ୟାପକ କ୍ଷତି ହୋଇଥିଲା । ବାତ୍ୟାର ପ୍ରଭାବରେ ଜାତୀୟ ରାଜପଥରେ ଅଟକି ରହିଥିବା ଟ୍ରକଗୁଡ଼ିକ ମଧ୍ୟ ଗଡ଼ିପଡ଼ିଥିଲା ।

୧୧ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବାପରେ ଧୀରେ ଧୀରେ ଦୁର୍ବଳ ହୋଇଥିଲା, ମାତ୍ର ପବନ ପରେ ବର୍ଷା ଆରମ୍ଭ ହୋଇଥିଲା । ୧୧ ତାରିଖରୁ ଆରମ୍ଭ ହୋଇଥିଲା ବର୍ଷା ଏବଂ ପ୍ରବଳ ବର୍ଷା ଫଳରେ ବନ୍ୟାଜଳ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଥିଲା । ଅଧିକାଂଶ ଅଞ୍ଚଳରେ ୧୨ ତାରିଖ ମଧ୍ୟରାତ୍ରରୁ ବର୍ଷା ବନ୍ଦ ହୋଇଯାଇଥିଲେ ମଧ୍ୟ ଜଳସ୍ତର କମିବାରେ ସମୟ ଲାଗିଥିଲା । ଓଡ଼ିଶାର ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳ, ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକ ପ୍ରଭାବିତ ହୋଇଥିଲା । ଏହି ବନ୍ୟାରେ ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କୁ ରିଲିଫ ଦେଇଥିଲେ । ବନ୍ୟାରେ ଲୋକ ଭୋଗିଥିବା ଦୁର୍ଦ୍ଦଶା ପାଇଁ ବିରୋଧୀ ଦଳମାନେ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ ।

Sources edit